ବାସୁଦେବ ଜାମିନ ମାମଲା
କଟକ,୨ା୮(ସକାଳଖବର): ବିଜେପୁର ବିଧାନସଭା ଉପ ନିର୍ବାଚନ ସମୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ସମେତ ୪ଜଣ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ଉପରେ ଗିରଫ ହୋଇଥିବା ବାସୁଦେବ ନାୟକ ଓରଫ ବବୁଲୁ ଓରଫ ବାବୁ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଅଭିଯୁକ୍ତର ଅପରାଧିକ ନଥି ସଂପର୍କରେ ଜଣାଇବା ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୮ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଏସସି ଜ୍ୟୋତି ପ୍ରକାଶ ପାତ୍ର ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ବରଗଡ଼ ଜିଲା ବିଜେପୁର ବିଧାନ ସଭା ଉପ ନିର୍ବାଚନ ସମୟରେ କିଛି ଅସମାଜିକ ଲୋକ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତଙ୍କ ସମେତ ୪ଜଣଙ୍କ ଉପରେ ସୋହେଲା ନିକଟସ୍ଥ ବନବିରାଠାରେ ଗତ ଫେବ୍ରୁଆରୀ ମାସ ୨୨ତାରିଖରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ବାସୁଦେବ ନାୟକ ଓରଫ ବବୁଲୁ ଓରଫ ବାବାକୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।