ଗୁରୁପ୍ରିୟା ସେତୁ ଉଦ୍ଘାଟିତ
ମାଲକାନଗିରି,୨୬/୭ (ସକାଳଖବର): ଜିଲ୍ଲାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ଥାୟୀ ଯୋଗାଯୋଗ ମାର୍ଗ ଗୁରୁପ୍ରିୟା ସେତୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଚିତ୍ରକୋଣ୍ଡା ଠାରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ବିକାଶ ପଥରେ ସାମିଲ ହେବା ପାଇଁ ନକ୍ସଲମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ଶାନ୍ତି ଓ ପ୍ରଗତି ପଥରେ ନକ୍ସଲମାନେ ସାମିଲ ସାମିଲ ହୋଇ ହିଂସା ପରିହାର କରନ୍ତୁ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି କେବଳ ଓଡିଶା ନୁହେଁ ସାରା ଭାରତ ପାଇଁ ଏକ ଐତିହାସିକ ଦିନ । ଗୁରୁପ୍ରିୟା ସେତୁ ବିଚ୍ଛିନ୍ନ ହୋଇଥିବା ୧୫୧ଟି ଗାଁର ପରିଚୟ ବଦଳାଇ ଦେଇଛି । ସାତ ଦଶନ୍ଧି ଧରି ବିଚ୍ଛିନ୍ନ ହୋଇ ରହିଥିବା ଏହି ଅଂଚଳ ଆଜିଠାରୁ ନୂଆ ପରିଚୟ ପାଇଛି । ଏବେ ଠାରୁ ମାଲକାନଗିରିର ଏହି ଅଂଚଳରୁ ବିଚ୍ଛିନ୍ନ ଶବ୍ଦଟି ଇତିହସକୁ ଚାଲିଗଲା । ଆଜିଠାରୁ ଏହି ଅଂଚଳ ସ୍ୱାଭିମାନ ଅଂଚଳଭାବରେ ବିକାଶର ନୂଆ ପରିଚୟ ସୃଷ୍ଟି କଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଂଚଳ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ଏବଂ ଏହି ପ୍ୟାକେଜର କାର୍ଯ୍ୟକ୍ରମକୁ ସେ ନିଜେ ତଦାରଖ କରିବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୁରପ୍ରିୟା ସେତୁ ଓଡିଶା ବିକାଶ ଇତିହାସର ଏକ ନୂଆ ମାଇଲଷ୍ଟୋନ୍ ହେବା ସହିତ ଶାନ୍ତି , ସହଯୋଗ ଓ ବିକାଶର ପ୍ରତୀକ ହୋଇରହିବ । ଗୁରୁପ୍ରିୟା ସେତୁର ନିର୍ମାଣରେ ବହୁ ଆହ୍ୱାନକୁ ସଫଳ ଭାବେ ମୁକାବିଲା କରି ଏହି ସେତୁ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ର୍ରହଣ କରିଥିବା ଇଂଜିନିୟର , ଓଡିଶା ଓ କେନ୍ଦ୍ର ସରକାରଙ୍କ ପୋଲିସ୍ ବନ୍ଧୁମାନଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଏଥିପାଇଁ ସହିଦ୍ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ସେ ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ବାମପନ୍ଥୀ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ ବିକାଶ ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ । ଏହାପରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଜିଲ୍ଲା ଚିକିତ୍ସାୟର ପରିସର ମଧ୍ୟରେ ନବନିର୍ମିତ ହସ୍ପିଟାଲର ଉଦଘାଟନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ରଖିଥିଲେ । ଜିଲ୍ଲା କ୍ରୀଡା କମ୍ପ୍ଲେକ୍ସ ଠାରେ ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାର ସୁବିଧା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ୧୯୪୦ ଦଶକରୁ ମାଲକାଗିରିର ୧୫୧ଟି ଗାଁ ମୁଖ୍ୟ ଅଂଚଳରୁ ବିଚ୍ଛିନ୍ନ ହୋଇଯାଇଥିଲା । ୧୯୬୦ ଦଶକରେ ମାଛକୁଣ୍ଡ ଜଳସେଚନ ଯୋଜନା ଓ ଅଶି ଦଶକର ବାଲିମେଳା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ୧୯୮୬ରେ ଗୁରୁପ୍ରିୟା ସେତୁ ପାଇଁ ପ୍ରସ୍ତାବ ରଖାଯାଇଥିଲା । କିନ୍ତୁ ବହୁବର୍ଷ ଧରି ଅନେକ ପ୍ରୟାସ ବିଫଳ ହେବା ପରେ ୨୦୧୪ରେ ରାଜ୍ୟ ସରକାର ନିଜେ କରିବାପାଇଁ ନିଷ୍ପତି ନେଇଥିଲେ । ଏହି ସେତୁର ଦୈର୍ଘ୍ୟ ୯୧୦ ମିଟର ହୋଇଥିା ବେଳେ ଏହାର ପ୍ରସ୍ଥ ୮.୪ ମିଟର ଏବଂ ଏଥିରେ ୨୨ଟି ସ୍ପାନ୍ ରହିଛି । ଆପ୍ରୋଚ ରୋଟର ଦୈର୍ଘ୍ୟ ୧୨୫୦ ମିଶର । ସମୁଦାୟ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୧୮୭.୨୫ କୋଟି ଟଙ୍କା ।