ଆଇପିଏଲ : ଶେଷ ଓଭରରେ ୫ଟି ଛକା ମାରି କୋଲକାତାକୁ ଜିତାଇଲେ ରିଙ୍କୁ ସିଂ
ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ରେମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ବିକେଟରେ ହରାଇଦେଇଛି କୋଲକାତା ନାଇଟରାଇଡର୍ସ । ଏହି ମ୍ୟାଚର ରୋମାଞ୍ଚ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିଲା । ଶେଷ ଓଭରରେ କୋଲକାତା ୨୯ରନ ଆବଶ୍ୟକ କରୁଥିବାବେଳେ ଲାଗୁଥିଲା ଗୁଜରାଟ ନିୟନ୍ତ୍ରଣରେ ମ୍ୟାଚ ଅଛି । କିନ୍ତୁ ରିଙ୍କୁ ସିଂଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଇଥିଲା । ସେ ଶେଷ ଓଭରରେ ୫ଟି ଛକା ମାରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ । ଶେଷ ଦୁଇଟି ବଲରେ ଜିତିବାକୁ କୋଲକାତା ୧୦ ରନ ଆବଶ୍ୟକ କରୁଥିବାବେଳେ ରିଙ୍କୁ ସିଂ ୨ଟି ଛକା ମାରି ଦଳପାଇଁ ବିଜୟ ଆଣିଦେଇଥିଲେ । ରିଙ୍କୁ ୨୧ଟି ବଲରୁ ୪୮ରନ କରିଥିବାବେଳେ ଭେଙ୍କଟେଶ ଆୟର ୪୦ ବଲରେ ୮୩ରନ କରିଥିଲେ । ନିତିଶ ରାଣା ୪୫ରନର ଯୋଗଦାନ ଦେଇଥିଲେ । ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୪ରନ କରିଥିଲା । ଦଳ ପକ୍ଷରୁ ବିଜୟ ଶଙ୍କର ସର୍ବାଧିକ ୬୩ରନ (ଅପରାଜିତ) କରିଥିବାବେଳେ ସାଇ ସୁଦର୍ଶନ ୫୩ରନ କରିଥିଲେ । ସେହିପରି ଶୁଭମନ ଗିଲ ୩୯ରନ କରିଥିବାବେଳେ ଋଦ୍ଧିମାନ ଶାହା ୧୭ରନ କରିଥିଲେ । ଡେଭିଡ୍ ମିଲର ୨ ରନ କରି ଅପରାଜିତ ରହିଥିଲେ ।