ଜାତିଆଣ ଆକ୍ଷେପ ମାମଲା: ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଜାରି କଲେ ଦିଲ୍ଲୀ ପଟିଆଲା କୋର୍ଟ

କଟକ: ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଆସିଥିବାର ଖବର ମିଳିଛି। ୨୦୨୩ ଜାନୁଆରି ୪ ତାରିଖରେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ନର୍ଥ ଆଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲା ନେଇ ଏହି ସମନ ଜାରି କରିଛନ୍ତି କୋର୍ଟ। କେବଳ ବର୍ଷା ନୁହନ୍ତି, ବରଂ ତାଙ୍କ ମାଆ ଓ ଭଉଣୀଙ୍କୁ ବି ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ଜଣେ ସହଯୋଗୀଙ୍କୁ ବର୍ଷା ଓ ତାଙ୍କ ମାଆ, ଭଉଣୀ ଜାତିଆଣ ଆକ୍ଷେପ କରିବା ନେଇ ଉକ୍ତ ଥାନାରେ ଏତେଲା ହୋଇଥିଲା। ଏହିକ୍ରମରେ ଗତ ସପ୍ତାହରେ ତଦନ୍ତକାରୀ ଏସପି ମହେଶ ଚାନ୍ଦ ମିନାଙ୍କ ନିର୍ଦେଶରେ ଥାନାର ଦୁଇ ଜଣ କର୍ମଚାରୀ କଟକ ଆସିଥିଲେ। ସେମାନେ ବର୍ଷା ପ୍ରିୟଦର୍ଶିନୀଙ୍କ କଟକ ନନ୍ଦିସାହି ସ୍ଥିତ ଶାଶୂ ଘରେ ଏହି ସମନ ରଖିଥିଲେ। ଏହି ସମନ ପାଇବା ପରେ ବର୍ଷା କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।