ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା: ଏସ୍ଆର୍ସି

ଭୁବନେଶ୍ୱର: ଦୁଇ ଦିନ ତଳେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ଆସିବ ବୋଲି କହିଥିବା ବେଳେ ରବିବାର ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି ମଧ୍ୟମ ଧରଣର ବନ୍ୟା ଆସିବ। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଏସ୍ଆର୍ସି କହିଛନ୍ତି, ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଯେଉଁ ବର୍ଷା ଲାଗି ରହିଛି, ତା’ ପ୍ରଭାବରେ ରାଜ୍ୟର କିଛି ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷତଃ ମହାନଦୀ ଅବବାହିକାରେ ଏହି ସମ୍ଭାବ୍ୟ ବନ୍ୟା ସ୍ଥିତି ଅଧିକ ରହିଛି। ଆଜି ପର୍ଯ୍ୟନ୍ତ ଯାହା ବର୍ଷା ହୋଇଛି ଓ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ନେଇ ଯେଉଁ ଆକଳନ କରାଯାଇଛି, ତାକୁ ବିଚାରକୁ ନେଲେ ମହାନଦୀରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଖଇରମାଳରେ ଏବେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେଲ ନଦୀରୁ ବେଶି ପାଣି ଆସୁ ନାହିଁ। ସେଥିରୁ ମାତ୍ର ଲକ୍ଷେ ୩୫ ହଜାର କ୍ୟୁସେକ ପାଣି ଆସୁଛି। ତେଣୁ ଅଧିକ ପାଣି ଆସୁଛି ହୀରାକୁଦ ଡ୍ୟାମ୍ରୁ। ହୀରାକୁଦରୁ ସୋନପୁର ଭିତରେ ଥିବା ଜୀରା, ରାଞ୍ଜୋର ଓ ଅଙ୍ଗ ଆଦି ନଦୀରୁ ମଧ୍ୟ ପାଣି ଆସୁଛି। ସେ କହିଛନ୍ତି, ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସରାଢିହି ଠାରେ ପାଖାପାଖି ୬ ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପାସ୍ କରୁଛି। ଆସନ୍ତାକାଲି ପାଇଁ ଯେଉଁ ଆକଳନ କରାଯାଇଛି, ମହାନଦୀ ଓ ତେଲ ଅବବାହିକାରେ ବର୍ଷା ଅଛି। ଉପକୂଳରୁ ବର୍ଷା ଧୀରେ ଧୀରେ କମି ସେପଟୁ ଅଧିକ ହେବ। ହୀରାକୁଦରେ ଏବେ ୩୪ଟି ଗେଟ୍ ଖୋଲା ଅଛି। ବର୍ତ୍ତମାନ ଆଉ ଅଧିକ ଗେଟ୍ ଖୋଲା ଯିବ ନାହିଁ।