୯.୬୬ଲକ୍ଷ ଟଙ୍କା ଫେରସ୍ତ ପାଇବେ ୧୭୮ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ
ବାରିପଦା, ୭/୬(ସକାଳଖବର)- ଚିଟଫଣ୍ଡରେ ୧୦ ହଜାରରୁ କମ୍ ଟଙ୍କା ଜମା ରଖିଥିବା ୩୮୩ ଜଣ କ୍ଷୁଦ୍ର ଜମାକାରୀମାନଙ୍କୁ ଚିହ୍ନଟ କରାଯାଇ ଥିଲା । ଉକ୍ତ ଜମାକାରୀମାନଙ୍କ ମଧ୍ୟରୁ ୧୯୪ ଜଣ ଜମାକାରୀଙ୍କର ତହସିଲସ୍ତରରେ ତଥ୍ୟ ମିଳି ପାରିଥିବାରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ପ୍ରଥମ ପର୍ଯ୍ୟାୟରେ ୧୭୮ ଜଣ ଜମାକାରୀଙ୍କୁ ସେମାନଙ୍କ ଜମା ରାଶି ଫେରସ୍ତ ମିଳିବ । ଏଥି ନିମନ୍ତେ ଜମାକାରୀମାନେ ସେମାନଙ୍କର ବ୍ୟାଙ୍କ ତଥ୍ୟ ସହିତ ଇଣ୍ଡେମିନଟ ଦାଖଲ କରିଛନ୍ତି ଓ ଏହି ସମସ୍ତ ଜମାକାରୀମାନଙ୍କୁ ମୋଟ ୯ଲକ୍ଷ ୬୬ ହଜାର ୨୫ ଟଙ୍କା ଖୁବ ଶୀଘ୍ର ଫେରସ୍ତ ମିଳିପାରିବ ବୋଲି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଚିଟଫଣ୍ଡ ଜମାକାରୀମାନଙ୍କ ମଧ୍ୟରେ ବେତନଟୀ ବ୍ଲକରେ ସର୍ବାଧିକ ୮୮ ଜଣ ରହିଥିବା ସମୟରେ ଜାମଦା ଓ ରରୁଆଁ ବ୍ଲକରେ ସର୍ବନିମ୍ନ ଜଣେ ଲେଖାଏଁ ହିତାଧିକାରୀ ରହିଥିବାର ଜଣାପଡ଼ିଛି । ସେହିପରି ବାରିପଦା ଓ ଶୁଳିଆପଦା ବ୍ଲକରେ ୧୬, ଜି ବି ନଗର ବ୍ଲକରେ ୧୫, ବଡ଼ସାହିରେ ୯, କପ୍ତିପଦାରେ ୮, ଉଦଳାରେ ୭, ବାଙ୍ଗିରିପୋଷିରେ ୬ ରାଇରଙ୍ଗପୁର ଓ ସାରସକଣାରେ ୪ ଏବଂ ଖୁଣ୍ଟା ବ୍ଲକରେ ୩ ଜଣ ଜମାକାରୀ ରହିଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀନାୟକ କହିଛନ୍ତି ।