Home » କ୍ରୀଡା » ହରଭଜନଙ୍କ ବଡ଼ ଘୋଷଣା : ନେବେନାହିଁ ସାଂସଦ ଭାବେ ଦରମା, ପୁରା ଟଙ୍କା କୃଷକଙ୍କ ଝିଅମାନଙ୍କ ଲାଗି କରିବେ ଦାନ
ହରଭଜନଙ୍କ ବଡ଼ ଘୋଷଣା : ନେବେନାହିଁ ସାଂସଦ ଭାବେ ଦରମା, ପୁରା ଟଙ୍କା କୃଷକଙ୍କ ଝିଅମାନଙ୍କ ଲାଗି କରିବେ ଦାନ
ନୂଆଦିଲ୍ଲୀ ୧୬।୪: ପୂର୍ବତନ କ୍ରିକେଟର ତଥା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହରଭଜନ ସିଂ ଏକ ଭଲ ନିଷ୍ପତ୍ତି ନେଇଛନ୍ତି । ସେ ଘୋଷଣା କରିଛନ୍ତି ଯେ, ରାଜ୍ୟସଭା ସଦସ୍ୟ ଭାବେ ତାଙ୍କୁ ମିଳିବାକୁ ଥିବା ଦରମାକୁ ସେ ରାଜ୍ୟର କୃଷକଙ୍କ ଝିଅମାନଙ୍କ ପାଇଁ ଦାନ କରିବେ । ଏ ନେଇ ହରଭଜନ ସିଂ ଟ୍ବିଟ୍ କରି ଲେଖିଛନ୍ତି ଯେ, ସେ ତାଙ୍କ ଦରମା ଶିକ୍ଷା ଏବଂ କୃଷକମାନଙ୍କ ଝିଅମାନଙ୍କର କଲ୍ୟାଣ ପାଇଁ ଦାନ କରିବେ । ସେ ଲେଖିଛନ୍ତି, ମୁଁ ମୋ ରାଷ୍ଟ୍ରର ଉନ୍ନତିରେ ସହଯୋଗ କରିବାକୁ ରାଜନୀତିରେ ଯୋଗ ଦେଇଛି । ଯାହା ମୋ ଦ୍ବାରା ସମ୍ଭବ ତାହା ମୁଁ କରିବି । ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ହରଭଜନ ସିଂଙ୍କୁ ପଞ୍ଜାବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ଭାବେ ଚୟନ କରାଗଲା ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା । କୁହାଯାଇଥିଲା ଯେ, ସେ ଚାଷୀଙ୍କୁ ସମର୍ଥନ କରିନଥିଲେ । ହରଭଜନ ସିଂ ଗତବର୍ଷ ଡିସେମ୍ବର ୨୪ ତାରିଖରେ କ୍ରିକେଟ୍ର ସବୁ ଫର୍ମାଟ୍ରୁ ଅବସର ନେଇଥିଲେ। ଅବସର ନେବା ପରେ ସେ କଂଗ୍ରେସ କିମ୍ବା ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । କିନ୍ତୁ ସେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ହରଭଜନ ସିଂଙ୍କର ୨୩ ବର୍ଷର କ୍ରିକେଟ୍ କ୍ୟାରିଅର ଥିଲା । ସେ ବିଶ୍ବର ସବୁଠୁ ଭଲ ସ୍ପିନର ଭାବେ ଜମାଶୁଣା ଥିଲେ । ସେ ୨୦୧୧ ବିଶ୍ବକପରେ ୯ଟି ଓ୍ବିକେଟ୍ ଏବଂ ୨୦୦୭ ଟି-୨୦ ବିଶ୍ବକପରେ ୭ଟି ଓ୍ବିକେଟ୍ ନେଇଥିଲେ ।