ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ

ନୂଆଦିଲ୍ଲୀ,୨୯/୦୧: ଫେବୃଆରୀ ପହିଲାରେ ସାଧାରଣ ବଜେଟ ୨୦୨୨- ୨୩ ସଂସଦରେ ଉପସ୍ଥାପନ ହେବ । ଏହି ବଜେଟ ଗତ ବର୍ଷ ଭଳି ପେପର୍ଲେସ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ । ପ୍ରତିବର୍ଷ ବଜେଟ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବ ଚଳିତ ବର୍ଷ ହେବ ନାହିଁ । ବଜେଟର ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଏଭଳି ଏକ କାର୍ଯ୍ୟକ୍ରମ ସରକାର ଆୟୋଜନ କରିଥାନ୍ତି । ଯାହା ଚଳିତ ବର୍ଷ ଦେଖିବାକୁ ମିଳିବନି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମହାମାରୀର ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ହାଲୁଆ ସେରିମନି ଆୟୋଜନକୁ ବାଦ ଦିଆଯାଇଛି । ଏହା ବଦଳରେ କିଛି କର୍ମଚାରୀଙ୍କୁ କୋଭିଡ ନିୟମ ପାଳନ ପୂର୍ବକ ମିଠା ବଣ୍ଟାଯାଇଛି । ଏହି କର୍ମଚାରୀମାନେ ବଜେଟ ପ୍ରସ୍ତୁତିରେ ସାମିଲ ଅଛନ୍ତି । ବାହ୍ୟ ଦୁନିଆଠାରୁ ଏମାନଙ୍କ ସମ୍ପର୍କ କିଛି ଦିନ ଲାଗି ବିଛିନ୍ନ କରାଯାଇଥାଏ । ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିବା ପରେ ଯାଇ ଏହି କର୍ମଚାରୀମାନେ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କୁ ସମ୍ପର୍କ କରିପାରିଥାନ୍ତି । ବଜେଟର ଗୋପନୀୟତା ରଖିବା ଲାଗି ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଥାନ୍ତି । ମୋବାଇଲ ଆପ୍ଲିକେସନରେ ବଜେଟ ବଜେଟକୁ ପେପରଲେସ କରାଯାଇଛି । ଅର୍ଥାତ ବଜେଟ ଦସ୍ତାବିଜ ଛପାଯିବ ନାହିଁ । ଚଳିତ ବର୍ଷ ମଧ୍ୟ ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି । ସାଂସଦ ଏବଂ ସାଧାରଣ ଲୋକମାନେ ଯେଭଳି ବଜେଟ ସମ୍ପର୍କିତ ସୂଚନା ଏବଂ ଦସ୍ତାବିଜ ସହଜରେ ଲାଭ କରିପାରିବେ ତାକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ଅନ୍ତର୍ଗତ ସାଧାରଣ ବଜେଟ ମୋବାଇଲ ଆପ୍ଲିକେଶନ ଶୁଭାରମ୍ଭ କରାଯାଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ମୋବାଇଲ ଆପ୍ଲିକେଶନରେ ବଜେଟ ଦସ୍ତାବିଜ ଉପଲବ୍ଧ ହେବ । ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ମୋବାଇଲ ଆପ୍ ରହିବ । ଆଣ୍ଡ୍ରଏଡ ଏବଂ ଆଇଓଏସ୍ ଭଳି ୨ ପ୍ଲାଟଫର୍ମରେ ଏହା ଉପଲବ୍ଧ ହେବ । ଏହିଠାରୁ କରିହେବ ଡାଉନଲୋଡ ଲୋକମାନେ ବଜେଟ ସମ୍ପର୍କିତ ଦସ୍ତାବିଜ କେନ୍ଦ୍ରୀୟ ବଜେଟର ୱେବ ପୋର୍ଟାଲ (www.indiabudget.gov.in) ଡାଉନଲୋଡ କରିପାରିବେ । ଆପ୍ଲିକେଶନ ମଧ୍ୟ ଏହି ୱେବପୋର୍ଟାଲରୁ ଡାଉନଲୋଡ କରିହେବ । ଯଦି ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଏହାକୁ ଡାଉନଲୋଡ କରିବାକୁ ଚାହୁଁଥାନ୍ତି ଏହାକୁ ପ୍ଲେ ଷ୍ଟୋରରେ ୟୁନିଅନ ବଜେଟ ସର୍ଚ୍ଚ କରିବାକୁ ହେବ । ଏହାକୁ ଇନଷ୍ଟାଲ କରିବା ପରେ ବଜେଟ ଦସ୍ତାବିଜ ମିଳିପାରିବ ।