ଲୋକ ଅଦାଲତରେ ଜମି ଠକେଇ ମାମଲା
କଟକ,୨୦ ।୫(ସକାଳଖବର): ସୁଲଭ ମୂଲ୍ୟରେ ଜମି ପ୍ରଦାନ ପାଇଁ ଲୋଭ ଦେଖାଇ ଏକ ବେସରକାରୀ ସଂସ୍ଥା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଜମି ନଦେବା ଏବଂ ଟଙ୍କା ଫେରସ୍ତ ନକରିବା ସଂକ୍ରାନ୍ତରେ ସ୍ଥାୟୀ ନିରନ୍ତର ଲୋକ ଅଦାଲତରେ ଜମାକାରୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗକ୍ରମେ ସଂସ୍ଥାର ପରିଚାଳନା ନିଦେ୍ର୍ଧଶକ ସ୍ମୃତି ରଞ୍ଜନ ବିଶ୍ୱାଳଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଏହି ମାମଲାର ଶୁଣାଣି ସମୟରେ ଉକ୍ତ ସଂସ୍ଥା ମେସର୍ସ ଶ୍ରୀଭିଲ୍ଲା ଲ୍ୟାଣ୍ଡ ଏବଂ କନ୍ଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ହାଜର ହୋଇଥିଲେ । ସୂଚନା ଅନୁଯାୟୀ, ସିଡିଏ ସେକ୍ଟର ୯ ଅଞ୍ଚଳରେ ସ୍ମୃତି ରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଉକ୍ତ କମ୍ପାନି ଖୋଲିଥିଲେ । ସେ ଜମି ଦେବା ପାଇଁ ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲେ । କିନ୍ତୁ ଜମି ନପାଇ ଠକେଇର ଶିକାର ହୋଇଥିବା ଅଭିଷେକ ଗାଙ୍ଗୁଲି ଏବଂ ଅମିତାଭ ଗାଙ୍ଗୁଲି ଲୋକ ଅଦାଲତରେ ଏ ନେଇ ପୃଥକ ମାମଲା କରିଥିଲେ । ଉଭୟ ଜମାକାରୀଙ୍କ ନିକଟରୁ ୨୦୧୨, ଜାନୁଆରି ୧୦ ତାରିଖରୁ ୨୦୧୬ ଏପ୍ରିଲ ୧୦ ତାରିଖ ମଧ୍ୟରେ ଅଗ୍ରୀମ ୧୫ ହଜାର ଟଙ୍କା ଏବଂ ପ୍ରତ୍ୟେକ ମାସରେ କିସ୍ତି ହିସାବରେ ୬ ଶହ ଟଙ୍କା ନିଆଯାଇଥିଲା । ସେହିଭଳି ଅନ୍ୟ ଏକ ମାମଲାରେ ଖୋର୍ଦ୍ଧା ତହସିଲ୍ ଅଞ୍ଚଳରେ ଜମି ଯୋଗାଇବାର ପ୍ରତଶ୍ରୁତି ଦେଇ ଜଣେ ବ୍ୟକ୍ତିଙ୍କ ନିକଟରୁ ୩ ଲକ୍ଷ ୮୪ ହଜାର ଟଙ୍କା ନିଆଯାଇଥିଲା । କିନ୍ତୁ ପରେ ଟଙ୍କା ଜମି ମିଳି ନଥିଲା କି ଟଙ୍କା ଫେରସ୍ତ ହୋଇନଥିବା ଅଭିଯୋଗ ହୋଇଥିଲା ।