Home » ପ୍ରମୁଖ ଖବର » କାଉଡ଼ିଆଙ୍କ ପାଇଁ ଖାଦ୍ୟ ଅଛି, ଶ୍ରମିକଙ୍କ ପାଇଁ ନାହିଁ

କାଉଡ଼ିଆଙ୍କ ପାଇଁ ଖାଦ୍ୟ ଅଛି, ଶ୍ରମିକଙ୍କ ପାଇଁ ନାହିଁ

କାଉଡ଼ିଆଙ୍କ ପାଇଁ ଖାଦ୍ୟ ଅଛି, ଶ୍ରମିକଙ୍କ ପାଇଁ ନାହିଁ

କଟକ: ୧୭/୫; ( ସୌଭାଗ୍ୟ ସୁନ୍ଦରରାୟ / ସକାଳଖବର): ଦେଖିବାକୁ ଗଲେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଏବେ ଲକ୍ଷାଧିକ ଶ୍ରମିକ ଅଟକି ରହିଛନ୍ତି । ଏବେ ଏମାନଙ୍କର ଏକମାତ୍ର ଲକ୍ଷ୍ୟ ନିଜ ଭିଟାମାଟିକୁ ଫେରିବା । ରୋଜଗାର ହରାଇ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଏହି ଶ୍ରମିକମାନେ ନିଜ ଘରଠାରୁ ଶହଶହ କିଲୋମିଟର ଦୂରରେ ଭୋକ ଉପାସରେ ସମୟ କଟାଉଛନ୍ତି । ଅବସାଦ ମଧ୍ୟରେ ସନ୍ତୁଳି ହେଉଛନ୍ତି । କିଛି ସ୍ଥାନରେ ଖାଦ୍ୟ ପାଇଁ ଓ ନିଜ ଘରକୁ ଫେରିବା ଉଦେ୍ଧଶ୍ୟରେ ତାଲାବନ୍ଦୀ ସମୟରେ ମଧ୍ୟ ଆନେ୍ଦାଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ପଛଉ ନାହୁଁନ୍ତି । ଆକସ୍ମିକ ତାଲାବନ୍ଦୀ ଯୋଗୁଁ ଯେଉଁ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି ସେଠାରେ ଶ୍ରମଭିତ୍ତିକ କାମ ଯୋଗାଇ ଦିଆଗଲେ ମଧ୍ୟ ଏହି ଶ୍ରମିକମାନେ ମାନସିକ ସ୍ତରରେ ବର୍ତ୍ତମାନ ପାଇଁ କାର୍ଯ୍ୟ କରିବା ଅବସ୍ଥାରେ ନଥିବା ଜଣାପଡ଼ୁଛି । ଏହି କାରଣରୁ ଲୁଚିଛପି ପଣ୍ୟବାହୀ ଟ୍ରକ, ଆମ୍ବୁଲାନ୍ସ ମାଲବାହୀ ରେଳ ଯୋଗେଁ ସେମାନେ ଯେନତେନ ପ୍ରକାରେ ନିଜ ଘରକୁ ଚାଲିଆସିବାକୁ ଚାହୁଁଛନ୍ତି । ତାଲାବନ୍ଦ ନିୟମ ପ୍ରତି ସେମାନଙ୍କର ଭ୍ରୂକ୍ଷେପ ନାହିଁ । ଦେଶର ବିଭିନ୍ନ ରାଜ୍ୟରେ ଅନ୍ୟୂନ ୧୦ରୁ ୧୫ ଲକ୍ଷ ଓଡ଼ିଆ ନିଜର ଜୀବିକା ଅର୍ଜନ କରିଥାନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶ୍ରମିକ ଶ୍ରେଣୀର । ପାଇପ ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, ଇଟାଭାଟି ଶ୍ରମିକ ଓ ନିର୍ମାଣ ଶ୍ରମିକ ଭାବେ ଏମାନେ କାର୍ଯ୍ୟ କରିଥାନ୍ତି । ସୁରଟରେ ଥିବା ଅଧିକାଂଶ ଓଡ଼ିଆ ଶ୍ରମିକ ସୂତାକଳ, ଲୁଗାକଳ, ରଙ୍ଗକଳ ଓ ରତ୍ନ ପଥର କଟେଇ କାର୍ଯ୍ୟରେ ନିୟୋଜିତ । ଏମାନେ ପ୍ରବାସୀ ରାଜ୍ୟ ସହ ନିଜ ରାଜ୍ୟର ଅର୍ଥନୀତି ପ୍ରତି ସହାୟକ ହୋଇଥାନ୍ତି । ଗତ ଫେବୃୟାରୀ ମାସରୁ କରୋନା ସଂକ୍ରମଣ ପାଇଁ ଦେଶର ସମସ୍ତ ସ୍ୱାଭାବିକ କାର୍ଯ୍ୟକଳାପ ଉପରେ ସରକାର ପ୍ରତିବନ୍ଧକ ଲଗାଇବା ସହ ଶେଷକୁ ତାଲାବନ୍ଦୀ ଘୋଷଣା କରିବା ପରେ ଗୁଜୁରାଟରେ ସମସ୍ତ କଳକାରଖାନା ବନ୍ଦ ହୋଇଗଲା । ଶ୍ରମିକମାନେ ନିଯୁକ୍ତି ହରାଇ ଶେଷକୁ ଖାଇବାକୁ ନପାଇ ଭୋକ ଉପାସରେ ସମୟ କଟାଇଲେ । କେବଳ ଗୁଜୁରାଟ ନୁହେଁ ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ମଧ୍ୟ ଅନେକ ଓଡ଼ିଆ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ । ଏହି ଓଡ଼ିଆମାନେ ବାହାରେ କାର୍ଯ୍ୟ କରି ନିଜ ଅର୍ଥନୀତିକୁ ସ୍ୱାବଲମ୍ବୀ କରିପାରିଛନ୍ତି । କରୋନା ସଂକ୍ରମଣ ତାଲାବନ୍ଦୀ ପରିପ୍ରେକ୍ଷୀରେ ଏହି ଶ୍ରମିକମାନେ ଯେପରି ହୀନସ୍ତା ହୋଇ ରାଜ୍ୟକୁ ଫେରୁଛନ୍ତି ତାହା ହୃଦୟ ବିଦାରକ । ଖାଇବାକୁ ନପାଇ ଡ଼ଙ୍ଗା, ସାଇକେଲ ଏବଂ ଚାଲିଚାଲି ଦୀର୍ଘ ପଥ ଏମାନେ ଅତିକ୍ରମ କରୁଛନ୍ତି । ଏପରି ଅବସ୍ଥା ଓଡ଼ିଶା କେବେ ଦେଖିନଥିଲା । ରାଜପଥରେ ଶ୍ରମିକଙ୍କ ବିପଦସଂକୁଳ ଯାତ୍ରା ରାଜ୍ୟର ଅର୍ଥନୀତିକୁ ଏକପ୍ରକାର ଉପହାସ କରୁଥିବା ମନେହୁଏ । ଶ୍ରମିକ ଭୋକିଲା ଅବସ୍ଥାରେ ପ୍ରାଣତ୍ୟାଗ ମଧ୍ୟ କରୁଛନ୍ତି । ସରକାର ଏମାନଙ୍କୁ ଆଣିବା ପାଇଁ ବିଳମ୍ବରେ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଯେତେ ସଂଖ୍ୟକ ଟ୍ରେନ ଆବଶ୍ୟକ ତାହା ନାହିଁ । କେତେବେଳେ ସରକାର ଆଧାରକାଡର଼୍ କଥା କହୁଛନ୍ତି ତ କେତେବେଳେ ଆରୋଗ୍ୟ ସେତୁ ଆପ୍ କଥା କହୁଛନ୍ତି । ଏସବୁ ମଧ୍ୟରେ ଶ୍ରମିକମାନେ ସନ୍ତୁଳି ହେଉଛନ୍ତି । ଫଳରେ ଶ୍ରମିକମାନେ ନିଜସ୍ୱ ଉଦ୍ୟମରେ ଆସିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ରାଜରାସ୍ତାରେ ଚାଲିଚାଲି ଆସୁଥିବା ଏହି ଶ୍ରମିକଙ୍କ ଖାଦ୍ୟ ଓ ବିଶ୍ରାମ ପାଇଁ ସରକାର ବନେ୍ଦାବସ୍ତ କରିପାରିଲେ ସେମାନଙ୍କ କଷ୍ଟ କେତେକାଂଶରେ ଲାଘବ ହୋଇପାରନ୍ତା । ଏଇଠି ମନେପଡେ଼ ଶ୍ରାବଣ ମାସର କାଉଡ଼ିଆଙ୍କ କଥା । କାଉଡ଼ିଆଙ୍କ ଶିବ ଜଳାଭିଷେକ ପାଇଁ ଯାତ୍ରା ନିମନ୍ତେ ରାସ୍ତାପାଶ୍ୱର୍ରେ ଖାଦ୍ୟପେୟର କେତେ କଣ ବ୍ୟବସ୍ଥା ହୋଇଥାଏ । ଅନେକ ସ୍ୱେଚ୍ଛାସେବୀ ଓ ଭକ୍ତ ଏହି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇ କାଉଡ଼ିଆଙ୍କ ପାଇଁ ରାସ୍ତାର ନିୟମିତ ଦୂରତାରେ ଖାଦ୍ୟ ଓ ବିଶ୍ରାମର ବ୍ୟବସ୍ଥା କରିଥାନ୍ତି । ଏହି ସ୍ୱେଚ୍ଛାସେବୀମାନେ ଏବେ ଗଲେ କୁଆଡେ଼ ? ପ୍ରବାସୀ ଓଡ଼ିଆଙ୍କ ଏଭଳି ଦୁର୍ଦ୍ଧିନରେ ଖାଦ୍ୟପେୟ ଯୋଗାଣ ପାଇଁ ସ୍ୱେଚ୍ଛାସେବୀଙ୍କ ଏବେ ଦେଖାଦର୍ଶନ ନାହିଁ । କିଛି ସ୍ୱେଚ୍ଛାସେବୀ କୋଭିଡ଼ ସେବା ପାଇଁ ସରକାରୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ଫଟୋ ସାମାଜିକ ଗଣମାଧ୍ୟମ ଓ ସମ୍ବାଦପତ୍ରରେ ଚପାଇବାରେ ଲିପ୍ତ ରହିଥିବା ଦେଖାଯାଉଛି । ସଂପ୍ରତ୍ତି ନାଁ ସରକାର ଏ ଦିଗରେ ଦୃଷ୍ଟି ଦେଉଛନ୍ତି ନାଁ ସ୍ୱେଚ୍ଛାସେବୀ ।

17/5

Share: