Home » ପ୍ରମୁଖ ଖବର » ତାଲାବନ୍ଦୀ ଓ ବିମୁଦ୍ରାୟନର ଢ଼ଙ୍ଗ ସମାନ

ତାଲାବନ୍ଦୀ ଓ ବିମୁଦ୍ରାୟନର ଢ଼ଙ୍ଗ ସମାନ

ତାଲାବନ୍ଦୀ ଓ ବିମୁଦ୍ରାୟନର ଢ଼ଙ୍ଗ ସମାନ

ଭୁବନେଶ୍ୱର: ( ସୌଭାଗ୍ୟ ସୁନ୍ଦରରାୟ / ସକାଳଖବର): ଧର୍ମର ସହ ପ୍ରଜା ପାଳନ କରୁଥିବା ଅଯୋଧ୍ୟା ନୃପତି ରାମଚନ୍ଦ୍ରଙ୍କୁ ଅଶ୍ୱମେଧ ଯଜ୍ଞର ଅଶ୍ୱ ଅଟକାଇଥିବା ଋଷି କୁମାର କୁଶ ସେଦିନ ପ୍ରଶ୍ନ କରିଥିଲେ ଯେଉଁ ରାଜ୍ୟରେ ସୀତା ପରି ନାରୀଙ୍କ ପ୍ରତି ଅନ୍ୟାୟ ଆଚରଣ କରାଯାଏ ସେ ରାଜ୍ୟରେ ଧର୍ମ ବୋଇଲେ କଣ ବୁଝାଯାଏ । ଏହାର ଉତ୍ତରରେ ରାଜା ରାମଚନ୍ଦ୍ର କହିଥିଲେ ତାହା ହେଉଛି ରାଜଧର୍ମ । ପ୍ରଜାଙ୍କ ପାଇଁ ରାଜା । ରାଜମୁକୁଟ ପରିଧାନ କରିବା ପରେ ସେ ହୋଇଯାନ୍ତି ପ୍ରଜାଙ୍କର । ପ୍ରଜାଙ୍କର ଆଶାଆକାଂକ୍ଷା ପୂରଣ କରିବା ରାଜାଙ୍କ ଧର୍ମ । ପ୍ରଜାଙ୍କ ନିକଟରେ ନିଜକୁ ନିଷ୍କଳଙ୍କ ଓ ସନେ୍ଦହମୁକ୍ତ ରଖିବା ପାଇଁ ସେଦିନ ନିରପରାଧିନୀ ଜନକନନ୍ଦିନୀଙ୍କ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ରାଜା ରାମଚନ୍ଦ୍ର । ଦେଶରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ମୁକାବିଲା କ୍ଷେତ୍ରରେ ରାଜଧର୍ମ ପାଳନ କ୍ଷେତ୍ରରେ ପ୍ରଶାସନ କିଭଳି କାର୍ଯ୍ୟ କରୁଛି ତାହା ସଂପ୍ରତ୍ତି ପର୍ଯ୍ୟାଲୋଚନାର ବିଷୟ ହୋଇଛି । କୋଟି କୋଟି ପ୍ରବାସୀ ଶ୍ରମିକ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ପେଟପାଟଣା ପାଇଁ କାର୍ଯ୍ୟରତ ଥିବା ସମୟରେ ପ୍ରଧାନମନ୍ତ୍ରୀ ଆକସ୍ମିକ ଭାବେ ଦେଶରେ ତାଲାବନ୍ଦୀ ଘୋଷଣା କଲେ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଶାସନ କାଳର ଆକସ୍ମିକ ବିମୁଦ୍ରାୟନ ଘୋଷଣାକୁ ମନେ ପକାଇ ଦେଇଥାଏ । ବିମୁଦ୍ରାୟନକୁ ନେଇ ଅନେକ କଥା କୁହାଗଲା । ସନ୍ତ୍ରାସବାଦ କାର୍ଯ୍ୟକଳାପରେ ଲଗାମ ଲାଗିବ, କଳା ଟଙ୍କା ବିଦେଶରୁ ଆସିବ, ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ଆଦି ଅନେକ କଥା । ପରିଶେଷରେ କିଛି ମିଳିଲା ନାହିଁ । ଯେତିକି ଟଙ୍କା କଳା ଆକଳନ କରାଯାଇଥିଲା ତାହା ବ୍ୟାଙ୍କକୁ ଆସି ଧଳା ପ୍ରମାଣିତ ହେଲା । କିନ୍ତୁ ଏହି ‘ଐତିହାସିକ’ ପଦକ୍ଷେପ ଯୋଗୁଁ ସାଧାରଣ ନାଗରିକ ଦୀର୍ଘ ଦିନ ଧରି ହନ୍ତସନ୍ତ ଜୀବନ ବିତାଇଲେ । ଅନୁରୂପ ଭାବେ ତାଲାବନ୍ଦୀ ଘୋଷଣା ମଧ୍ୟ ଏକ ହଟଚମଟ ସୃଷ୍ଟିକାରୀ । ଏଥିରୁ କଣ ଯେ ସୁଫଳ ମିଳିଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କୋଭିଡ଼ ବିରୋଧରେ ତାଲବନ୍ଦୀକୁ ଯୁଦ୍ଧ ବୋଲି ବର୍ଣ୍ଣନା କରାଗଲା । ଘନଘନ ମତ ପରିବର୍ତ୍ତନ ସାଙ୍ଗକୁ ଶବ୍ଦ ଅଳଙ୍କାରର ଚାତୁରୀ ମଧ୍ୟରେ ପ୍ରଧାନମନ୍ତ୍ରୀ କୋଭିଡ଼ ଯୁଦ୍ଧର ମହାନାୟକ ଭାବେ ନିଜକୁ ଉପସ୍ଥାପିତ କଲେ । ପ୍ରଥମେ କହିଲେ ‘ଜାନ୍ ହୈ ତୋ, ଜାହାନ ହୈ’ । ଏହାପରେ ପୁଣି କହିଲେ ଜାନ୍ ଭି, ଜାହାନ ଭି’ । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଦେଶବାସୀଙ୍କୁ ଉଦ୍ବୋଧନ । କେତେବେଳେ କରୋନା ଯୋଦ୍ଧାଙ୍କୁ ଥାଳି ବାଡେ଼ବାକୁ କହି ଉତ୍ସାହିତ କରିବାକୁ କହିଲେ ତ କେତେବେଳେ ଦୀପ ଓ ଟର୍ଚ୍ଚ ଜଣାଇ ଉତ୍ସାହିତ କରିବାକୁ କହିଲେ । ଏହାମଧ୍ୟରେ କରୋନା ଯୋଦ୍ଧା କିଏ ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀଙ୍କ ପାଇଁ ଚାଷୀଟିଏ କି ପ୍ରବାସରେ ଚାକିରୀ ହରାଇ ଭୋକ ଉପାସରେ ଶହଶହ କିଲୋମିଟର ଚାଲିଥିବା ବା ସାଇକେଲରେ ନିଜ ଭିଟାମାଟିକୁ ଫେରିଥିବା ସାହାସୀ ଯୁବକ କରୋନା ଯୋଦ୍ଧା ହୋଇପାରିଲେ ନାହିଁ । ସବୁ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ଫେରିଆସିବା ପାଇଁ ସୁଯୋଗ ଦେଇ ତାଲାବନ୍ଦୀ ଘୋଷଣା କରାଯାଇଥିଲେ ଦେଶରେ କୋଭିଡ଼ର ମହାପ୍ରଳୟ ସୃଷ୍ଟି ହୋଇନଥାନ୍ତା । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନଲାଗିବା ପରି ଦେଶର ଶାସନ ମୁଖ୍ୟଙ୍କ ସମସ୍ତ ନିଷ୍ପତ୍ତିକୁ ଦୋଷମୁକ୍ତ ବୋଲି ଆମକୁ ଧରିନେବାକୁ ପଡ଼ିବ । କିନ୍ତୁ ଦେଶର ଶାସନ ବ୍ୟବସ୍ଥା ଯେ ଏବେ ଗଣତାନ୍ତ୍ରିକ ତାହା ଦେଖିବାକୁ ପଡ଼ିବ । ତେବେ ଏହି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ମଧ୍ୟରେ ବହୁମତ ଆଳରେ ଏକଛତ୍ରବାଦ ମାନସିକତାର ଆଭାସ ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ଉପରେ ଜୋର ଜବରଦସ୍ତ ବିଭିନ୍ନ ନିଦେ୍ର୍ଧଶାବଳୀ ଲଦି ଦିଆଯାଉଛି । ଆରୋଗ୍ୟ ସେତୁ ଆପ୍ସ ସମସ୍ତ ସରକାରୀ କର୍ମଚାରୀ ଓ ଜନସାଧାରଣ ନିଜ ଫୋନରେ ରଖିବା ପାଇଁ ବାଧ୍ୟ କରଯାଉଛି । ଯେଉଁମାନଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ ସେମାନେ ଆରୋଗ୍ୟ ସେତୁ ଆପ୍ସ କିପରି ଡ଼ାଉନଲୋଡ଼ କରିବେ ? ନାଁ ସମସ୍ତେ ସ୍ମାର୍ଟଫୋନ କିଣିବା ପାଇଁ ବାଧ୍ୟ ? ଆରୋଗ୍ୟ ସେତୁ ଆପ୍ସ କାହା ଦ୍ୱାରା ପରିଚାଳିତ । ଏହାର ସୂଚନା କିପରି ଭାବେ ସଠିକ୍ ତାହା ଜନତାଙ୍କୁ ଜଣାଯିବା ଉଚିତ୍ । ୨୧ ଦିନର ତାଲାବନ୍ଦୀରେ ଖାଇବାକୁ ପାଉନଥିବା ଶ୍ରମିକଙ୍କ ପାଇଁ କିପରି ଅର୍ଥ ବ୍ୟୟ କରି ସ୍ମାର୍ଟଫୋନ କ୍ରୟ କରିବ ? ଗୋଳିଆ ପାଣିରୁ ମାଛ ଧରାଯିବା ପରି ବର୍ତ୍ତମାନର କୋଭିଡ଼ ଗୋଳିଆରୁ କିଛି ନ୍ୟସ୍ତସ୍ୱାର୍ଥ ଜାତୀୟ ତଥା ଆନ୍ତର୍ଜାତୀୟ ହାଡର଼୍ୱେର ଓ ସଫ୍ଟୱେର କଂପାନୀ ସୁବିଧା ନେବାକୁ ସରକାରୀ କଳକୁ ହାତବାରିସୀ କରିଛି । ଏହି ଡିଜିଟାଲ ବ୍ୟବସାୟୀମାନେ ବିଭିନ୍ନ ବାଟରେ ନିଜ ବ୍ୟବସାୟକୁ ଆଗେଇ ନେବାକୁ ପଦକ୍ଷେପ ନେଇଛନ୍ତି । ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏମାନେ ଯେନତେନ ପ୍ରକାରେ ଡ଼ିଜିଟାଲ ବ୍ୟବସ୍ଥା ପ୍ରବେଶ କରାଇ କୋଭିଡ଼ ରିଲିଫ ଅର୍ଥର କିଛି ଅଂଶ ଅକ୍ତିଆର କରିନେବାକୁ ଉଦ୍ୟମ ଚଳାଇଛନ୍ତି । ଏଥିରେ ସହଯୋଗର ହାତ ବଢ଼ାଉଛନ୍ତି ପ୍ରଶାସନିକ ଅଧିକାରୀ । ଦେଶ ଅର୍ଥନୀତି ସଂପର୍କରେ ଗୋଲାପୀ ଚିତ୍ର ଆଙ୍କୁଥିବା ଶାସନ କଳ କୋଭିଡ଼ ରିଲିଫ ବାବଦକୁ ବର୍ତ୍ତମାନ ସୁଦ୍ଧା ଜିଡ଼ିପିର ମାତ୍ର ୧% ମଞ୍ଜୁର କରିଛି । ଆମେରିକା ଜିଡ଼ିପିର ୧୦% ଓ ଜାପାନ ୨୦% ରାଶି ମଞ୍ଜୁର କରିସାରି ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଥିବାେବେଳ ଭାରତର ସ୍ଥିତି ଅତି ଦୟନୀୟ । ମୁମ୍ବାଇ ଓ ସୁରଟ ଆଦି ସ୍ଥାନରେ ପ୍ରବାସୀ ଶ୍ରମିକମାନେ ହିଂସ୍ର ଆନେ୍ଦାଳନାତ୍ମକ ପଦକ୍ଷେପ ଗ୍ରହଣ କରିନଥିଲେ ସରକାର ବୋଧହୁଏ ବୃହତ୍ତର କୋଭିଡ଼ ସଂଗ୍ରାମ ଆଳରେ ସେମାନଙ୍କୁ ମରଣ ମୁହଁକୁ ଠେଲି ଦେଇଥାନ୍ତେ । କୋଭିଡ଼ ପାଇଁ ସ୍ୱତନ୍ତ୍ର ଭାବେ ‘ପିଏମ କେୟାର ଫଣ୍ଡ’ ଖୋଲାଗଲା । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଥାଉଥାଉ ଆଉ ଏକ ପାଣ୍ଠି ଖୋଳିବାର ତାପôର୍ଯ୍ୟ କଣ ତାହା ଜଣାପଡ଼ୁ ନାହିଁ । ଏହି ପାଣ୍ଠିରୁ କଣ ପ୍ରଧାନମନ୍ତ୍ରୀଙ୍କୁ ସୁହାଇବା ଅନୁଯାୟୀ ଅର୍ଥ ପ୍ରଦାନ କରାଯିବ ? ସାଧାରଣ ନାଗରିକ ଭୋକିଲା ରହୁଥିବାବେଳେ କୋଭିଡ଼ ମୁକାବିଲା ସଫଳତାର ପ୍ରଶଂସା ସାଉଁଟିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଏ ବିଭାଗ ଏତେ କାମ କଲା, ସେ ବିଭାଗ ସେତେ କାମ କଲା ଆଦି ସରକାରୀ ସ୍ତରରେ ପ୍ରସାରଣ କରାଯିବା ସରକାରୀ ପ୍ରଚାର ସହ ସମାନ । ଏହି ପ୍ରଚାରରୁ ଭୋକିଲା ଲାଭବାନ୍ ହେଉନାହାଁନ୍ତି । କିଛି ମୁଷ୍ଟିମେୟ ଉପକୃତ ହେଉଛନ୍ତି ବା ଉପକୃତ ହେବା ଅପେକ୍ଷାରେ ରହୁଛନ୍ତି । ଏପ୍ରକାର ପ୍ରଚାର ଓ ପ୍ରଶଂସା ଯୋଗାଡ଼ ଦ୍ୱାରା କୋଭିଡ଼ର କଣ ମୁକାବିଲା କଣ ସଫଳ ହୋଇପାରିବ । ପ୍ରଧାନମନ୍ତ୍ରୀ ନିଜେ ନିଦେ୍ର୍ଧଶ ଦେଉଛନ୍ତି, ପରବର୍ତ୍ତୀ ସମୟରେ ଏହାକୁ ଲୋକଙ୍କ ଇଚ୍ଛା ବୋଲି କହୁଛନ୍ତି । କେତେବେଳେ ନିଜର ପ୍ରଶ୍ନର ଉତ୍ତର ମଧ୍ୟ ନିଜେ ଦେଉଛନ୍ତି । ଏହା ଏକ ବିଚିତ୍ର ଅବସ୍ଥା ସୃଷ୍ଟି କରୁଛି । କରୋନା ସଂଗ୍ରାମ ଜନଗଣଙ୍କ ଦ୍ୱାରା ପରିଚାଳିତ ବୋଲି କୁହାଯାଉଛି ସତ, ବାସ୍ତବରେ ଏହା ପ୍ରଶାସନ ପରିଚାଳିତ । ପ୍ରବାସୀ ଶ୍ରମିକଙ୍କ ଏକାନ୍ତବାସ କେନ୍ଦ୍ରକୁ ଓଡ଼ିଶା ସରକାର ସାମ୍ବାଦିକଙ୍କୁ ବାରଣ କରି ନିଦେ୍ର୍ଧଶନାମ ଜାରି କଲେ । ଏହାର କାରଣ କଣ ହୋଇଥାଇପାରେ ? ଏକାନ୍ତବାସ କେନ୍ଦ୍ରର ଅବ୍ୟବସ୍ଥାରେ ପରଦା ଢ଼ାଙ୍କିବା ପାଇଁ ଏହା ଏକ ଉପଯୁକ୍ତ ପଦକ୍ଷେପ ଥିଲା । ବାସ୍ତବ କଥା ହେଲା ଏତେ ଶ୍ରମିକ ଓଡ଼ିଶା ବାହାରୁ ଫେରିବେ ସେକଥା ରାଜ୍ୟ ସରକାର କେବେବି ଚିନ୍ତା କରିନଥିଲେ । ଉତ୍ତରପ୍ରଦେଶ ସରକାର ପ୍ରଥମେ ନିଜ ଶ୍ରମିକଙ୍କୁ ପଞ୍ଜାବ ଓ ହରିୟାନାରୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏଥିସହ ବିଭିନ୍ନ ରାଜ୍ୟରେ ଶ୍ରମିକ ବିଦ୍ରୋହ ଯୋଗୁଁ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇ ଶ୍ରମିକ ଫେରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଏଥିରେ ଓଡ଼ିଶା ସାମିଲ ହୋଇଗଲା । କିନ୍ତୁ ଶ୍ରମିକ ଫେରସ୍ତ କ୍ଷେତ୍ରରେ ଏବେ ଓଡ଼ିଶା ନିଜକୁ ମଡେ଼ଲ ବୋଲି ପ୍ରଚାର ଚଳାଇଲା । ଶ୍ରମିକ ଫେରିବା ପରେ ସରକାର ପ୍ରକୃତରେ ଅପ୍ରସ୍ତୁତ ହୋଇଗଲେ । ମହାମାରୀ ଆଇନ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ କରିବା ପାଇଁ ପଦକ୍ଷେପ ଗ୍ରହଣ କଲେ । ବାସ୍ତବ ସତ୍ୟକୁ ସ୍ୱୀକାର ନକରି ଦମନମୂଳକ ପଦକ୍ଷେପ ଗ୍ରହଣ କଲେ । ଏଥିରୁ ସରକାରଙ୍କ ବକ୍ତବ୍ୟ ଓ କାର୍ଯ୍ୟଧାରା ମଧ୍ୟରେ ଫରକ କେତେ ତାହା ବାରି ହୋଇ ପଡ଼ୁଛି । କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାରଗଣ ପାରସ୍ପରିକ ପ୍ରଶଂସା ଓ ଆତ୍ମପ୍ରଚାରରୁ ସରକାର ଦୂରେଇ ରହି ନାଗରିକଙ୍କଙ୍କ ହିତ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ଆବଶ୍ୟକ । ସବୁ ନାଗରିକଙ୍କୁ ବୋକା ବୋଲି ଧରିନେବା ଉଚିତ୍ ନୁହେଁ । ଶବ୍ଦ ଓ ସୂଚନାର ଏକ ଗୋଲକଧନ୍ଦା ସୃଷ୍ଟି କରାନଯାଉ । ନଚେତ୍ କୋଭିଡ଼ ପାଇଁ ଦୀର୍ଘ ମିଆଦୀ ସଂଗ୍ରାମରୁ କୌଣସି ସୁଫଳ ମିଳିପାରିବ ନାହିଁ । ଯେଉଁ ଆର୍ଯ୍ୟାବର୍ତ୍ତ ପାଳକ ରାଜଧର୍ମ ପାଳନ କରିବାକୁ ଯାଇ ପତ୍ନୀଙ୍କୁ ତ୍ୟାଗ କରିଥିଲେ ସେ ଆର୍ଯ୍ୟାବର୍ତ୍ତର ପରମ୍ପରା ମିଥ୍ୟା ଓ ଛଳନାରେ କଳୁଷିତ ନହେଉ ।

8/5

Share: