କନ୍ଧମାଳ ମହିଳା ପାଇଲେ ଭି-ପୁରସ୍କାର
କନ୍ଧମାଳ,୧୨/୧୨(ସକାଳଖବର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ବଣ ପାହାଡ ଘେରା ଦୁର୍ଗମ ଅପହଂଚ ତଥା ନିପଟ ମଫସଲ ବାନ୍ଦୁଡି ଗ୍ରାମର ଆଦିବାସୀ ଝିଅ ଝୁଲିମା ମଲିକ ଆର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ଦିବସ ଅବସରରେ ୟୁଏନ ହାଉସ ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିଲେ । ଝୁଲିମା ମଲିକଙ୍କୁ ସମ୍ମାନଜନକ ଭି-ଆୱାର୍ଡ ରେ ସମ୍ମାନିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଝୁଲିମାକୁ ଧନ୍ୟବାଦ ଜଣାଇଛନ୍ତି । ସାରା ଭାରତରୁ ମାତ୍ର ୧୦ ଜଣଙ୍କୁ ଏହି ଆୱାର୍ଡ ମିଳିଥିବା ବେଳେ ଓଡିଶାରୁ ଏକମାତ୍ର ଝିଅ ହିସାବରେ ଝୁଲିମାଙ୍କୁ ଏହି ଆୱାର୍ଡ ମିଳିଥିଲା । ବାଲ୍ୟ ବିବାହ ରୋକିବାସହ ଏନେଇ ସଚେତନତାର ବାର୍ତା ପ୍ରଚାର କରୁଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇବା ସହ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଝୁଲିମା କନ୍ଧମାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ସେଭ ଦି ଚିଲଡ୍ରେନ୍ସ ଦ୍ୱାରା ସ୍ୱେଚ୍ଛାସେବୀ ଭାବରେ ନିଜର ଯାତ୍ରା ୨୦୧୬ରୁ ଆରମ୍ଭ କରି ଏବେ ଶୀର୍ଷରେ ପଂହଚିଛନ୍ତି । ଝୁଲିମା ନିଜ ପ୍ରଚେଷ୍ଟାରେ ନିଜ ବାହାଘର ମଧ୍ୟ ରୋକିବା ସହ ୧୨ଟି ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇଛନ୍ତି ।