Home » ରାଜନୀତି » ରାମ ଜନ୍ମଭୂମି ରାୟ ଏକ ଐତିହାସିକ ନିଷ୍ପତି : ବିଜେପି

ରାମ ଜନ୍ମଭୂମି ରାୟ ଏକ ଐତିହାସିକ ନିଷ୍ପତି : ବିଜେପି

 ରାମ ଜନ୍ମଭୂମି ରାୟ ଏକ ଐତିହାସିକ ନିଷ୍ପତି : ବିଜେପି

ନୂଆଦିଲ୍ଲୀ,୯/୧୧(ସକାଳଖବର): ରାମ ଜନ୍ମଭୂମି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସର୍ବସମ୍ମତିରେ ନିଆଯାଇଥିବା ଐତିହାସିକ ନିଷ୍ପତିକୁ ଭାରତୀୟ ଜନତା ପାର୍ଟି ସ୍ୱାଗତ କରିଛି । ଏହି ନିଷ୍ପତି ସମାଜରେ ଥିବା ଭିନ୍ନ ମତାମତ ପ୍ରତି ସମ୍ମାନର ଉଦାହରଣ ବୋଲି ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ସେ କହିଛନ୍ତି ଯେ ଦୈନିକ ଶୁଣାଣି କରି ବହୁ ଦଶନ୍ଧି ଧରି ଚାଲି ଆସିଥିବା ଏହି ମାମଲାର ଠିକ୍ ସମୟରେ ନିର୍ଯ୍ୟାସ ବାହାର କରୁଥିବାରୁ ସୁପ୍ରିମକୋର୍ଟ, ସଂପୃକ୍ତ ଖଣ୍ଡପୀଠ ଓ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ । ଆମ ଦଳ ଦେଶର ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଢାଂଚାକୁ ଅକ୍ଷୁର୍ଣ୍ଣ ରଖିଥିବା ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି । ଏହି ନିଷ୍ପତି ପ୍ରମାଣିତ କରୁଛି ଯେ ଭାରତ ଏକଜୁଟ୍ ଅଛି ଓ ଏଠାରେ ଗଣତନ୍ତ୍ରର ମୂଳଦୁଆ ଅତ୍ୟନ୍ତ ମଜବୁତ୍ ଅଛି । ଆମର ବିଶ୍ୱାସ ଯେ ଏହି ନିଷ୍ପତି ଏହି ମାମଲାରେ ଥିବା ସମସ୍ତ ପ୍ରକାର ବିବାଦର ଅନ୍ତଃ ଘଟାଇବ ଏବଂ ଭାରତ ଅଖଣ୍ଡତା ଓ ସାଂସ୍କୃତିକ ଏକତାର ସିଦ୍ଧାନ୍ତ ଉପରେ ଦୃଢତାର ସହ ଆଗକୁ ବଢିବ । ଭାରତୀୟ ଜନତା ପାର୍ଟି ସବୁବେଳେ ରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରତି ବଦ୍ଧ ପରିକର ରହିଆସିଛି । ପାଲମପୁର ଅଧିବେଶନ ଠାରୁ ଏପର୍ଯ୍ୟନ୍ତ ଏହି ମାମଲାରେ ବିଜେପି ଦାୟିତ୍ୱପୂର୍ଣ୍ଣ ଓ ସକରାତ୍ମକ ଭୂମିକା ନିର୍ବାହ କରିଆସିଛି । ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ପ୍ରସଙ୍ଗର ସମାଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର କାର୍ଯ୍ୟକାଳରେ ହୋଇଛି । ଯେବେ ବି ଦେଶର ଇତିହାସର ପୁନଃଲିଖନ ହେବ ଭାରତୀୟ ଜନତା ପାର୍ଟି ସରକାରଙ୍କର ଏହି କାର୍ଯ୍ୟକାଳ ସେଥିରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଦେଶର ଜନସାଧାରଣଙ୍କୁ ଏହି ନିଷ୍ପତିକୁ ଖୋଲା ହୃଦୟରେ ସ୍ୱାଗତ କରି ଉଦାହରଣ ସୃଷ୍ଟି କରିବା ପାଇଁ ବିଜେପି ଅନୁରୋଧ କରିବା ସହ ସମ୍ମାନତା, ସାମାଜିକ ସଦଭାବ ଓ ଶାନ୍ତିର ମୂଲ୍ୟବାନ ବିଚାରକୁ ଆଖି ଆଗରେ ରଖି କୌଣସି ପ୍ରକାର ଭୁଲ ଖବର ବା ଗୁଜବ ଉପରେ ଧ୍ୟାନ ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ନ୍ୟାୟପାଳିକାର ମର୍ଯ୍ୟାଦା ସବୁଠାରୁ ଜରୁରୀର ଅଟେ । ସମାଜର ସମସ୍ତ ବର୍ଗ ଓ ସାମାଜିକ ସାଂସ୍କୃତିକ ସଂଗଠନ ଏହାକୁ ସମ୍ମାନ ଜଣାଇ ଆସିଛନ୍ତି । ଏହି ନିଷ୍ପତି ପରେ ମଧ୍ୟ ସେହି ଧାରା ବଜାୟ ରହୁ ।

9

Share: