Home » ପ୍ରମୁଖ ଖବର » ବୁଲବୁଲ୍ ଉଜାଡ଼ିଦେଲା ଚାଷୀଙ୍କର ସର୍ବସ୍ୱ

ବୁଲବୁଲ୍ ଉଜାଡ଼ିଦେଲା ଚାଷୀଙ୍କର ସର୍ବସ୍ୱ

ବୁଲବୁଲ୍ ଉଜାଡ଼ିଦେଲା ଚାଷୀଙ୍କର ସର୍ବସ୍ୱ

କେନ୍ଦ୍ରାପଡ଼ା,୯/୧୧(ସକାଳଖବର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ବୁଲ୍ବୁଲ୍ ଓଡିଶାରେ ସ୍ଥଳଭାଗ ଛୁଇଁନଥିଲେ ମଧ୍ୟ ଏହାର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ଆଳି, ରାଜନଗର, ରାଜକନିକାରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିବା ଜଣାପଡିଛି । ଫଳରେ ସେହି ସବୁ ଅଂଚଳ ସହ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ତୁହାକୁ ତୁହା ଲଗାଣ ବର୍ଷା ଓ ପବନ ସାଧାରଣ ଜୀବନଯାତ୍ରା କୁ ଦୁଇଦିନ ଧରି ପ୍ରଭାବିତ କରିଛି । ପବନ ଯୋଗୁ ଜିଲ୍ଲାର ସମସ୍ତ ଅଂଚଳରେ ଧାନଚାଷ ଉଜୁଡି ଯାଇ ଓ ପାଣିରେ ବୁଡି ରହି ଚାଷୀମାନଙ୍କର ସର୍ବାଧିକ କ୍ଷତି ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରକାଶ ଯୋଗ୍ୟ ଯେ ବାତ୍ୟା ବୁଲ୍ବୁଲ୍ କେନ୍ଦ୍ରାପଡା ଦେଇ ଯାଇ ନଥିଲେ ମଧ୍ୟ ଏହାର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ଆଳି, ରାଜନଗର ଓ ରାଜକନିକା ବ୍ଲକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁଇଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଶୁକ୍ରବାର ରାତିରେ ବର୍ଷା, ପବନ ବହୁ ପରିମାଣରେ ହୋଇଥିଲା । ଏଥିରେ ରାଜନଗର ଓ ରାଜକନିକା ସହ ବିଭିନ୍ନ ବ୍ଲକ ଅଂଚଳରେ ଛପର ଘର ଉଡିଯାଇଥିବାର ସୂଚନା ମିଳିଛି । ଶତାଧିକ ଲୋକଙ୍କର କଦଳୀଗଛ, ସଜନା ଓ ଚାଖୁଣ୍ଡାଗଛ ଇତ୍ୟାଦି ବିଭିନ୍ନ ସ୍ଥାନରେ ଭାଙ୍ଗିପଡି ରାସ୍ତା ଅବରୋଧ ହୋଇଥିବାବେଳେ ବିଲରେ ଧାନ ଗଛ ଗୁଡିକ ଶୋଇ ପଡି ଭୂମିରେ ମିଶିଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ସୁତ୍ରରୁ ପ୍ରକାଶ ଯେ ଶନିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାର ୯ଟି ଯାଙ୍କ ବ୍ଲକରେ ମୋଟ୍ ୬୮୦ ମିଲିମିଟର ବର୍ଷା ହୋଇଛି । ତେବେ ରାଜନଗର ବ୍ଲକରେ ସର୍ବାଧିକ ୧୮୦ ମିଲିମିଟର ହୋଇଥିବାବେଳେ କେନ୍ଦ୍ରାପଡାରେ ସର୍ବନିମ୍ନ ୨୯ ମିଲିମିଟର ବର୍ଷା ହୋଇଛି । ସେହିପରି ରାଜକନିକାରେ ୧୩୬, ଆଳିରେ ୮୯, ମହାକାଳପଡାରେ ୭୫, ଗରଦପୁରରେ ୪୬, ମାର୍ଶାଘାଇରେ ୪୪, ଡେରାବିଶ୍ରେ ୪୪, ପଟ୍ଟାମୁଣ୍ଡାଇରେ ୩୭ ମିଲିମିଟର ବର୍ଷା ହୋଇଛି । ଏହି ବର୍ଷା ଦ୍ୱାରା ରାଜକନିକା ଓ ରାଜନଗର ବ୍ଲକର ତଳିଆ ଅଂଚଳର ଧାନ ଗଛ ଗୁଡିକ ବୁଡି ରହିଥିବାବେଳେ ପବନ ଯୋଗୁ ପ୍ରାୟ ସମସ୍ତ ବ୍ଲକର ଅଧିକାଂଶ କ୍ଷେତ ଜମିରେ ଧାନ ଗଛ ଗୁଡିକ ଶୋଇ ପଡିଛି ।

9

Share: