Home » ରାଜନୀତି » ବିଜେପି ଛାଡିଲେ ବରିଷ୍ଠ ନେତା ଦାମୋଦର ରାଉତ

ବିଜେପି ଛାଡିଲେ ବରିଷ୍ଠ ନେତା ଦାମୋଦର ରାଉତ

    ବିଜେପି ଛାଡିଲେ ବରିଷ୍ଠ ନେତା ଦାମୋଦର ରାଉତ

ଭୁବନେଶ୍ୱର, ୧୬/୧୦(ସକାଳଖବର): ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ବୁଧବାର ବିଜେପି ଛାଡିଛନ୍ତି । ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି । ସାଧାରଣ ନିର୍ବାଚନ ପରେ ଦଳୀୟ କାର୍ଯ୍ୟକ୍ରମ ଓ ନିଷ୍ପତି ରେ ତାଙ୍କୁ ସାମିଲ କରାଯାଉନଥିବାରୁ ଏବଂ ଅଣଦେଖା କରାଯାଇଥିବାରୁ ସେ ଇସ୍ତଫା ଦେଉଥିବା ଇସ୍ତଫାପତ୍ରରେ ଡା. ରାଉତ ଉଲ୍ଲେଖ କରିଛନ୍ତି । ଦୀର୍ଘ ୭ ମାସ ଧରି ଦଳରେ ଅଣନିଶ୍ୱାସୀ ହେବା ତାଙ୍କ ଇସ୍ତଫାର ଅନ୍ୟତମ କାରଣ ବୋଲି ସେ କହିଛନ୍ତି । ଇସ୍ତଫା ଦେବା ପରେ ପ୍ରତିକ୍ରିୟା ଦେଇ ଡା. ରାଉତ କହିଛନ୍ତି ଯେ ସେ ବିଜୁ ବାବୁଙ୍କୁ ଆନୁଗତ୍ୟ ବ୍ୟକ୍ତି । ବିଜୁ ବାବୁ ଚାଲିଯିବା ପରେ ସେ ତାଙ୍କ ପୁଅ ସହ ରହିଲେ ଏବଂ କାମ କଲେ । ସ୍ୱର୍ଗତ ବିଜୁ ବାବୁ ତାଙ୍କୁ ରାଜନୀତିକୁ ଆଣିଥିଲେ । ତାଙ୍କର ସୁଯୋଗ୍ୟ ପୁତ୍ର ନବୀନ ବାବୁଙ୍କ ଶାସନ କାଳରେ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ । ମନ୍ତ୍ରୀ ଥିବା ସମୟରେ ତାଙ୍କ ବିଭାଗରେ ବହୁ ଦୁର୍ନୀତି ହୋଇଥିବା ହୃଦବୋଧ ହୋଇଥିଲା । ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରିବାରୁ ସେ ମନ୍ତ୍ରି ମଣ୍ଡଳରୁ ବିଦା ହୋଇଥିଲେ । ଏହି ସମୟରେ ବିଜେପି ଦଳର ନେତାମାନେ ତାଙ୍କୁ ଦଳରେ ମିଶାଇଥିଲେ । ସେମାନଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କଲେ । ନିର୍ବାଚନ ପରେ ସେ ଅଲୋଡା ହୋଇଗଲେ । ଏକ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ମାର୍ଗଦର୍ଶକ ହୋଇ ମାର୍ଗରୁ ପଥର ମଧ୍ୟ ଉଠାଇବାକୁ ଦେଲେନି । ଇସ୍ତଫା ଦେବାନେଇ କାହା ସହ ଆଲୋଚନା କରିବାକୁ ମଧ୍ୟ ସୁଯୋଗ ମିଳିଲାନାହିଁ । ଇସ୍ତଫା ଦେବା ପରେ ସେ ରଚନାତ୍ମକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ନିଶ୍ୱାସ ପ୍ରଶ୍ୱାସ ଚାଲିଥିବା ପର୍ଯ୍ୟନ୍ତ ରଚନା କରିବେ ବୋଲି କହିଛନ୍ତି । ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ପାଦରେ ଚାଲି ଚାଲି ମଦ ବିରୋଧରେ ପ୍ରଚାର କରୁଛନ୍ତି । ତାଙ୍କର ବିବେକ ଓ ବିଚାର ସିଦ୍ଧ । ସେହି ପନ୍ଥା ଅନୁସରଣ କରିବେ ବୋଲି ସେ କହିଛନ୍ତି । ଅପରପକ୍ଷରେ ବିଜେପି ଛାଡିବାପରେ ଅନ୍ୟ କୌଣସି ଦଳରେ ଯୋଗ ଦେବା ସମ୍ପର୍କିତ ପ୍ରଶ୍ନକୁ ସେ ଏଡାଇଯାଇଥିଲେ ।

16

Share: