ସରକାରୀ ମାଲ୍ ଦରିଆ ମେ ଡାଲ ନୀତିରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ
ବାରିପଦା, ୧୦/୧୦(ସକାଳଖବର): ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜ୍ଞାତ ସାରରେ ସରକାର କା ମାଲ୍, ଦରିଆ ମେ ଡ଼ାଲ୍ ନ୍ୟାୟରେ ଚାଲିଛି ରାସ୍ତାର ନିର୍ମାଣ କାର୍ଯ୍ୟ । ନିର୍ମାଣ କାର୍ଯ୍ୟ ତଦାରଖ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା, ଖାମଖିଆଲି ଓ ଅସାଧୁ ମନୋଭାବ ଠିକାଦାରଙ୍କ କପାଳକୁ ଶିକା ଛିଡ଼ିବା ସଦୃଶ୍ୟ ହୋଇଛି । ଫଳରେ ଠିକାଦାର ମାଲେ ମାଲ୍ ହେଉଥିବା ବେଳେ ଜନସାଧାରଣଙ୍କ ଗମନାଗମନର ସୁବିଧା ନିମନ୍ତେ ନିର୍ମାଣ କରାଯାଉଥିବା ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ନ ହେଉଣୁ ନଷ୍ଟ ହୋଇ ଖାଲଖମାରେ ପରିଣତ ହେବାରେ ଲାଗିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମଙ୍କ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଂଟା ବ୍ଲକର ପାଇକବସା ଗ୍ରାମପଂଚାୟତର ଉଦଳା-ବାରିପଦା ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ସାଢେ଼ ୪ କି.ମି ଏସଏଚ ୧୯ରୁ ପାଣ୍ଡୁରା ରାସ୍ତା । ଉକ୍ତ ରାସ୍ତା ନିମ୍ନମାନର ନିର୍ମାଣ କରାଯାଇଥିବା ଓ ରାସ୍ତା ପାଶ୍ୱର୍ ଡ୍ରେନ ନିର୍ମାଣକୁ କେନ୍ଦ୍ର କରି ସ୍ଥାନୀୟ ଗ୍ରାମବାସୀ ଓ ଠିକାଦାରଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ସରକାରଙ୍କ ନିୟମ ଅନୁସାରେ, ଏସଏଚ ୧୯ରୁ ପାଣ୍ଡୁରା ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ସୂଚନା ଫଳକ ରାସ୍ତା ପାଶ୍ୱର୍ରେ ରହିଥିବାର ଦେଖିବାକୁ ମିଳିଥିଲା । ତେବେ ଲଗାଯାଇଥିବା ସୂଚନା ଫଳକ ଅସମ୍ପୂର୍ଣ୍ଣ ଥିବାର ପରିଲକ୍ଷିତ ହୋଇଥିଲା । ଫଳକରେ ପ୍ରକଳ୍ପ ବ୍ୟୟ ଅଟକଳର ପରିମାଣ, ଠିକାଦାରଙ୍କ ନାମ, ପ୍ରକଳ୍ପ ନିର୍ମାଣ ଏଗ୍ରିମେଂଟ, ଆରମ୍ଭ ଓ ଶେଷ ତାରିଖ ସହ ନିର୍ମାଣ କାର୍ଯ୍ୟ ଆଦି ଉପରେ ସୂଚନା ଫଳକରେ ଦେଖିବାକୁ ମିଳିନଥିଲା । ଏଥି ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ରାସ୍ତାର ନିର୍ମାଣ କାର୍ଯ୍ୟ ୩ ମାସ ପୂର୍ବେ ଶେଷ ହୋଇଥିବା ବେଳେ ରାସ୍ତା ଉପରୁ ପିଚୁ ଚଦର ଭଳି ଉଠିଯାଇଛି । କେତେକ ସ୍ଥାନରେ ଠିକାଦାର ତାଳିପକା ମରାମତି କାର୍ଯ୍ୟ ଜାରି ରଖିଛି । ଏହି ରାସ୍ତା ନିର୍ମାଣ ସମୟରେ ତଦାରଖ କରିବା ନିମନ୍ତେ କୌଣସି ବିଭାଗୀୟ ଅଧିକାରୀଙ୍କୁ ଏଠାରେ ଦିନେ ହେଲେ ଦେଖିବାକୁ ମିଳିନଥିବାର କୁହାଯାଉଛି । ପୁଣି ଠିକାଦାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଗ୍ରାମବାସୀମାନଙ୍କୁ ଭୟଭିତ କରାଉଥିବାର ଅଭିଯୋଗ ହେଉଛି ।