ଗ୍ରୀଷ୍ମ ଅବକାଶ ପରେ ତୈଳ ଭଣ୍ଡାର ମାମଲା ଉପରେ ଶୁଣାଣି
କଟକ,୭ା୫(ସକାଳଖବର): ଯାଜପୁର ଜିଲା ଡଙ୍କାରୀ ଠାରେ ପ୍ରସ୍ତାବିତ ତୈଳ ଭଣ୍ଡାର, ଖଣିଖାଦାନରୁ ରାଜସ୍ୱ ହରିଲୁଟ ଆଦି ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ, ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରିଥିବାବେଳେ ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ଡଙ୍କାରୀ ଠାରେ ୫ହଜାର କୋଟି ଟଙ୍କାର ତୈଳ ଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ରଖିଥିବାବେଳେ ସର୍ବେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ମାମଲା ରୁଜୁ କରି ପାହାଡ଼ରୁ ଖନନ ବନ୍ଦ କରାଯାଇ ସେହି ସ୍ଥାନକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦିଆଯାଉ ବୋଲି ପ୍ରାର୍ଥନା କରି ଏକ ମାମଲା ରୁଜୁ କରିଥିଲେ । ସେହିପରି ସାରେଇ ପାହାଡ଼ରୁ ବେଆଇନ ମୋରମ ଉତ୍ତୋଳନ ନେଇ ସର୍ବେଶ୍ୱର ବେହେରା ମାମଲା ରୁଜୁ କରିଥିବାବେଳେ ଖୋର୍ଦ୍ଧା ଅଞ୍ଚଳରେ ଖଣିଖାଦାନକୁ ବ୍ୟାପକ ଲୁଟ ହେଉଥିବା ଦର୍ଶାଇ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଥିଲା । ତେବେ ହାଇକୋର୍ଟ ସାରେଇ ପାହାଡ଼ ମାମଲାରେ ଶୁଣାଣି କରି ଭିଜିଲାନ୍ସକୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିଦେ୍ର୍ଧଶ ଦେଇଥିବାବେଳେ ଭିଜିଲାନ୍ସ ଇତିମଧ୍ୟରେ ଘଟଣାର ତଦନ୍ତ କରି ମାମଲା ରୁଜୁ କରିବା ସହ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି ।