ଓଏସଏଫସି ଋଣ ହଡ଼ପ ମାମଲାରେ ୪ବର୍ଷ ଜେଲଦଣ୍ଡ
କଟକ, ୫ ।୫(ସକାଳଖବର): ଦୀର୍ଘ ୨୯ବର୍ଷ ତଳେ ମେଡିକାଲ ସରଞ୍ଜାମ କାରଖାନା ପାଇଁ ଓଡ଼ିଶା ରାଜ୍ୟ ଅର୍ଥ ନିଗମ(ଓଏସଏଫସି)ରୁ ୧ ଲକ୍ଷ ୩୦ ଲକ୍ଷ ଟଙ୍କା ଋଣ ଆଣି ହଡ଼ପ କରିବା ମାମଲାରେ କଟକ ଦ୍ୱିତୀୟ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଶୁଣାଣି କରି ଅଭିଯୁକ୍ତ ବିଜୟ କୁମାର ପରିଜାଙ୍କୁ ଦୋଷୀ ସାବ୍ୟସ୍ତ କରଛନ୍ତି । ଜଜ ପ୍ରଶାନ୍ତ କୁମାର ଦାସ ଏହି ମାମଲାରେ ଅଭିଯୁକ୍ତ ବିଜୟଙ୍କୁ ଆଇପିସି ୪୨୦, ୧୨୦-ବି ଦଫାରେ ୪ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିବା ସହ ୫୦ହଜାର ଟଙ୍କା ଲେଖାଁଏ ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅର୍ଥ ଅନାଦେୟ ଆହୁରି ଏକ ବର୍ଷ ଜେଲ ଦଣ୍ଡ ଭୋଗିବା ପାଇଁ ପଡିବ ବୋଲି କୋର୍ଟ ରାୟରେ ଦର୍ଶାଇଛନ୍ତି । ମାମଲାରୁ ପ୍ରକାଶ ଚୌଦ୍ୱାର ଅଞ୍ଚଳରେ କାଳୀକା ମେଡିକାଲ ସରଞ୍ଜାମ କାରଖାନା ପ୍ରତିଷ୍ଠା ପାଇଁ ହରିପୁର ଅଞ୍ଚଳର ବାସିନ୍ଦା ଦିଲ୍ଲୀପ କୁମାର ପଟ୍ଟନାୟକ ଓଏସଏଫସିରୁ ୧ଲକ୍ଷ ୩୦ ହଜାର ଟଙ୍କା ଋଣ ଆଣିଥିଲେ । ଏଥିପାଇଁ ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ଅଞ୍ଚଳର ବାସିନ୍ଦା ତଥା ଦୋଳମୁଣ୍ଡାଇ ସ୍ଥିତ ଏସିଆନ ଟ୍ରେଡରର୍ସ ପ୍ରୋପାଇଟର ବିଜୟ କୁମାର ପରିଜା ତାଙ୍କୁ ଜାଲ କାଗଜପତ୍ର ଯୋଗାଇ ଥିଲେ । ଏହି ଜାଲ କାଗଜପତ୍ର ମାଧ୍ୟମରେ ୧.୨୦ଲକ୍ଷ ଟଙ୍କା ଋଣ ଅଣାଯାଇ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଥିବାବେଳେ ଏ ସମସ୍ତ କାଗଜପତ୍ର ସଂପୂର୍ଣ୍ଣ ନକଲି ବୋଲି ଜଣାପଡିଥିଲା । ଭିଜିଲାନ୍ସ ଏ ନେଇ ୧୯୮୯, ଅକ୍ଟୋବର ମାସ ୩ତାରିଖରେ ଏକ ମାମଲା ରୁଜୁ କରିଥିଲା । ଓଏସଏଫସି ପୂର୍ବତନ ବୈଷୟିକ ପରିଚାଳକ ଦୋଳଗୋବିନ୍ଦ ମହାରଣା, ଉପ ପରିଚାଳକ ମନୋରଞ୍ଜନ ପତିହାରୀ, ବିଜୟ ପରିଜା ଓ ଦିଲ୍ଲୀପ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା । ଋଣ ହଡପ କରିଥିବା ଦିଲ୍ଲୀପ କୁମାର ପଟ୍ଟନାୟକ ସେବେଠାରୁ ଫେରାର ରହିଥିବାବେଳେ ଓଏସଏଫସି ପୂର୍ବତନ ବୈଷୟିକ ପରିଚାଳକ ଶ୍ରୀ ମହାରଣା, ଉପ ପରିଚାଳକ ଶ୍ରୀ ପତିହାରୀଙ୍କୁ ଦୋଷମୁକ୍ତ କରିଛନ୍ତି । ଭିଜିଲାନ୍ସ ପକ୍ଷରୁ ପିପି ସେଖ ନିଜାମୁଦ୍ଧିନ, ଏପିପି ସ୍ୱରାଜ କୁମାର ରାୟ ଏହି ମାମଲା ପରିଚାଳନା କରୁଥିଲେ ।