ଏସ୍ସିବି: ସର୍ଜରୀ ବିଭାଗରେ ୫ କ୍ୟାବିନ, ଅପେକ୍ଷାରେ ଶତାଧିକ ରୋଗୀ
କଟକ,୪ା୫/(ସକାଳଖବର): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)କୁ ଦୈନିକ ବହୁ ଗୁରୁତର ରୋଗୀ ଆସୁଛନ୍ତି । କିନ୍ତୁ ଆବଶ୍ୟକତା ଅନୁଯାୟୀ ରୋଗୀଙ୍କ ନିମନ୍ତେ ନାହିଁ କ୍ୟାବିନ୍ । ସମ୍ପ୍ରତି ସର୍ଜରୀ ବିଭାଗରେ ୫ଟି କ୍ୟାବିନ ରହିଥିବାବେଳେ ଶତାଧିକ ରୋଗୀ ଏଥିନିମନ୍ତେ ଆବେଦନ କରିଥିବା ସୂଚନା ମିଳିଛି । ତେଣୁ ଅଧିକ ସଂଖ୍ୟକ କ୍ୟାବିନ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହୋଇଛି । ସୂଚନା ଅନୁସାରେ, ବଡ ମେଡିକାଲର ସର୍ଜରୀ ବିଭାଗ କ୍ୟାବିନ୍ରେ କେବଳ ଗୁରୁତର ରୋଗୀଙ୍କୁ ରଖାଯିବାର ନିୟମ ରହିଛି । ଏହି କ୍ୟାବିନ ‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’ ନ୍ୟାୟରେ ପ୍ରଦାନ କରାଯାଇଥାଏ । କିନ୍ତୁ ସଙ୍କଟାପନ୍ନ ରୋଗୀଙ୍କ ଅବସ୍ଥାକୁ ଗୁରୁତ୍ୱଦେଇ କେତେକ କ୍ଷେତ୍ରରେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ସମୟରେ ଅତି ଗୁରୁତର ରୋଗୀକୁ କ୍ୟାବିନ ବ୍ୟବସ୍ଥା କରାଯାଇଥାଏ । ଏବେ ଗୁରୁତର ରୋଗୀଙ୍କର ଯେତିକି ଆବଶ୍ୟକତା ରହିଛି, ସେହି ଅନୁସାରେ ଯଦି ସର୍ଜରୀ ବିଭାଗର ଗୋଟିଏ ମହଲାରେ କ୍ୟାବିନ ବ୍ୟବସ୍ଥା ହୁଏ ତେବେ ଗୁରୁତର ରୋଗୀଙ୍କପାଇଁ ସହାୟକ ହେବବୋଲି ଜନୈକ ଡାକ୍ତର କହିଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟର ଗରିବ ଲୋକମାନେ କର୍ପୋରେଟ ହସ୍ପିଟାଲକୁ ଯାଇପାରୁନଥିବାରୁ ବଡ ମେଡିକାଲ ଉପରେ ନିର୍ଭର କରିଥାନ୍ତି । କାରଣ ସେମାନେ କର୍ପୋରେଟ ହସ୍ପିଟାଲକୁ ଯିବାପାଇଁ ଆର୍ଥିକ ସମ୍ବଳ ନଥାଏ । ତେଣୁ ସ୍ୱଳ୍ପ ମୂଲ୍ୟ ବିନିମୟରେ ବିଭାଗରେ ସମସ୍ତ ପ୍ରକାର ବ୍ୟବସ୍ଥା (ଫାସିଲିଟି) ଯୋଗାଇ ଦେବା ଆବଶ୍ୟକ । ଫଳରେ ଗରିବ ଲୋକଙ୍କ ସହ ଆର୍ଥିକ ଶ୍ରେଣୀର ଲୋକମାନେ ସୁଫଳ ପାଇପାରିବେ । ଏ ସମ୍ପର୍କରେ ବଡ ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା କହିଛନ୍ତି ଯେ, ସର୍ଜରୀ ବିଭାଗରେ ମାତ୍ର ୫ଟି କ୍ୟାବିନ ରହିଛି । କିନ୍ତୁ ଦୈନିକ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି । ସେମାନଙ୍କ ନିମନ୍ତେ ଅଧିକ ସଂଖ୍ୟକ କ୍ୟାବିନ ଆବଶ୍ୟକତା ଥିବାରୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ।