ସାମାଜିକ ବାସନ୍ଦକୁ ବିରୋଧ କରି ମାମଲା
କଟକ,୩ା୫(ସକାଳଖବର): ରାଜ୍ୟର ବିଭିନ୍ନ ସ୍ଥାନରେ ଗାଁ ସଭା କିମ୍ବା ଜାତି ସଭା ଆଳରେ କଙ୍ଗାରୁ କୋର୍ଟ ବସି ତଥା କଥିତ ଅଭିଯୁକ୍ତମାନଙ୍କୁ ସାମାଜିକ ବାସନ୍ଦ ସହ ଅର୍ଥ ଦଣ୍ଡ, ଶାରିରୀକ, ମାନସିକ ଭାବେ ନିର୍ଯାତନା ଦିଆଯିବା ଘଟଣା ବଢିଚାଲିଛି । ନ୍ୟାୟିକ ବ୍ୟବସ୍ଥାକୁ ଏହା ଉପହାସ କରୁଛି । ଏହାକୁ ବିରୋଧ କରି ଓଡିଶା ହେତୁବାଦୀ ସମାଜ ସଂପାଦକ ଦେବେନ୍ଦ୍ର ସୂତାରଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ଆବେଦନକାରୀ ଦର୍ଶାଇଛନ୍ତି ଯେ ଭିନ୍ନ ଜାତିରେ ବିବାହ କରିବା, ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦିଆନଯିବା, କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅମାନ୍ୟ କରିବା, କୁଷ୍ଠ ଓ ଏଡ୍ସ ଭଳି ରୋଗୀଙ୍କୁ ବିରୋଧ କରିବା, ଦଳିତ ବନ୍ଧୁଙ୍କ ଘରୁ ଭୋଜି ଖାଇବା, ନିଜ ଇଚ୍ଛାରେ ପୋଷାକ ପିନ୍ଧିବା ଆଦି ଘଟଣାକୁ ଆଳ କରି ଗ୍ରାମରେ କଙ୍ଗାରୁ କୋର୍ଟ ବସି କୌଣସି ବ୍ୟକ୍ତି ତାଙ୍କ ପରିବାରବର୍ଗଙ୍କୁ ଗାଁରୁ ବାସନ୍ଦ କରାଯାଉଛି । ସେମାନଙ୍କୁ ନିଅାଁ ପାଣି, କୁଅ, ପୋଖରୀ ଆଦିକୁ ବାରଣ କରାଯାଉଛି । ତେବେ ଏ ନେଇ କୌଣସି ସକ୍ଷମ ଆଇନ ରାଜ୍ୟରେ ହୋଇନଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ପ୍ରୟାସ ମଧ୍ୟ କରାଯାଉନାହି । ଆଇନ, ନ୍ୟାୟ ବ୍ୟବସ୍ଥା ପ୍ରତି କଙ୍ଗାରୁ କୋର୍ଟ ବିପଦ ସୃଷ୍ଟି କରୁଛି । ତେବେ ମହାରାଷ୍ଟ୍ରରେ ଏ ନେଇ ଆଇନ ପ୍ରଣୀତ ହୋଇଥିବାବେଳେ ଓଡିଶାରେ ଅନୁରୂପ ଭାବେ ଆଇନ ପ୍ରଣୟନ କରିବା ପାଇଁ ଆବେଦନକାରୀ ଦର୍ଶାଇଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ଆଇନ ବିଭାଗ ସଚିବ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି ।