ହଂସପାଳ ଭୋଇ ସାହି ଉଚ୍ଛେଦ ପ୍ରକ୍ରିୟା ଉପରେ ସରକାର ନେଲେ ମହଲତ
କଟକ, ୩୦ା୪(ସକାଳଖବର): ୧୬ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ହଂସପାଳ ନିକଟସ୍ଥ ଭୋଇ ସାହି ବାସିନ୍ଦାଙ୍କୁ ହଟାଇବା ସଂକ୍ରାନ୍ତ ମାମଲାରେ ଜବାବ ରଖିବା ପାଇଁ ସରକାର ମହଲତ ନେବାରୁ ହାଇକୋର୍ଟ ଜଷ୍ଟିସ ଏସ ସି ପରିଜା ଓ ଜଷ୍ଟିସ ଦେବ ପ୍ରସାଦ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ୪ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ତେବେ ଏହି ମାମଲାରେ ରହିତାଦେଶ ବଳବତ୍ତର ରହିଛି । ମାମଲାର ବିବରଣୀରୁ ପ୍ରକାଶ ଯେ, ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଭୋଇ ସାହିରେ ଦୀର୍ଘ ବର୍ଷବର୍ଷ ଧରି ନରେନ୍ଦ୍ର ଭୋଇ ସମେତ ୧୯ଟି ପରିବାର ବସତି କରି ରହିଆସୁଛନ୍ତି । ତେବେ ସେମାନେ ଏହାର ପ୍ରତିବାଦ କରିଥିଲେ । ଫଳରେ ସେମାନଙ୍କୁ ଥଇଥାନ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ଥନୀୟ ରୁଦ୍ରପୁର ମୌଜାର ପ୍ଲଟ ନମ୍ବର ୧୮୩, ଖାତା ନମ୍ବର ୪୨୪ରେ ୦.୭୨୨ଡିସିମିଲି ଜାଗା ଯୋଗାଇ ଦିଆଯାଇଥିଲା । ସରକାରଙ୍କ ଏହି ନିଷ୍ପତି ଉପରେ ବାସିନ୍ଦାମାନେ ରାଜି ହୋଇଥିଲେ । ମାତ୍ର ଥଇଥାନ କରିବା ଦିଗରେ ଆଉ କୌଣସି ପଦକ୍ଷେପ ନିଆଯାଇନଥିଲା । ଏହାପରେ ସରକାରଙ୍କ ପକ୍ଷରୁ ଜଗନ୍ନାଥ ସଡକରେ ସାମୟିକ ଭାବେ ସେମାନଙ୍କୁ ଥଇଥାନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଥଇଥାନ ପାଇଁ ସେପରି କିଛି ପଦକ୍ଷେପ ନିଆନଯାଇ ହଠାତ ଏନଏଚଏଆଇ ପକ୍ଷରୁ ଉଚ୍ଛେଦ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇ ଗତ ଜାନୁୟାରୀ ମାସ ୧୦ତାରିଖରେ ମାଇକରେ ପ୍ରଚାର କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଭୋଇସାହିର ନରେନ୍ଦ୍ର ଭୋଇ, ସୀତାକାନ୍ତ ନାୟକ ସମେତ ୧୯ଟି ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏକ ମାମଲାରେ ସାଧାରଣ ପ୍ରଶାସନ ବିଭାଗ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ, ଭୁବନେଶ୍ୱର ତହସିଲଦାର, ଭୁବନେଶ୍ୱର ଏଡିଏମ, ଏନଏଚଏଆଇ ପ୍ରକଳ୍ପ ନିଦେ୍ର୍ଧଶକ, ମଞ୍ଚେଶ୍ୱର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।