ବଲାଙ୍ଗୀରରେ ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଲୋକାର୍ପିତ
ଭୁବନେଶ୍ୱର,୩୧/୮ (ସକାଳଖବର): ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଅନଗ୍ରସର ବଲାଙ୍ଗୀର ଜିଲ୍ଲାରେ ୨୮ ଏକର ପରିମିତ ଜମି ଉପରେ ୧୮୭.୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଲୋକାର୍ପିତ କରିଛନ୍ତି ।ଏହି ମେଡିକାଲ କଲେଜରେ ଶୁକ୍ରବାର ଠାରୁ ପାଠପଢା ମଧ୍ୟ ଆରମ୍ଭ ହୋଇଛି । ୧୦୦ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଲାଭ କରିବା ପାଇଁ ଏଥିରେ ନାମ ଲେଖାଇଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡିଶାରେ ଆଉ ୩ଟି ସରକାରୀ ମେଡିକାଲ କଲେଜ କରିବାପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି ।ଏଥିପାଇଁ ସରକାରୀ ଜମି ଯୋଗାଇଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଲୋକାର୍ପଣ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି । ସହଯୋଗ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ନଡ୍ଡା କହିଥିଲେ ଯେ କେନ୍ଦ୍ର ସରକାର ଓଡିଶାର ଲୋକମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଏମସ୍ ଖୋଲାଯାଇଛି । ଆହୁରି ମଧ୍ୟ କେତେକ ମେଡିକାଲ କଲେଜକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାକୁ ନିଷ୍ପତି ନିଆଯାଇଛି । କଟକ ଏସସିବି ମେଡିକାଲ କଲେଜକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାକୁ ୨୫୯ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ କଟକ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍ ପାଇଁ ୭୯ କୋଟି ଯୋଗାଇ ଦିଆଯାଇଛି । ବଲାଙ୍ଗୀର ମେଡିକାଲ କଲେଜ ଦ୍ୱାରା ସମ୍ପୃକ୍ତ ଜିଲ୍ଲା ସହିତ ଆଖପାଖ ଜିଲ୍ଲାର ଲୋକମାନେ ଉପକୃତ ହେବେ । ସମ୍ପୃକ୍ତ ଅଂଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇପାରିଛି । ସ୍ୱାସ୍ଥ୍ୟସେବାକୁ ଆଗେଇ ନେବାପାଇଁ ଘରୋଇ ସ୍ତରରେ ମେଡିକାଲ କଲେଜକୁ ପ୍ରୋତ୍ସାହନ ଦଆଯାଉଛି । ସେ ଆହୁରି କହିଥିଲେ ଯେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ମୂଳ ଲକ୍ଷ୍ୟ ହେବା ଉଚିତ୍ । ଏହା ମଧ୍ୟରେ କୌଣସି ରଜନୀତି ନହେବା ଉଚିତ୍ । କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନା ଗୁଡିକୁ ରାଜ୍ୟ ଆପଣେଇଲେ ରୋଗୀମାନେ ଅଧିକରୁ ଅଧିକ ସେବା ପାଇପାରିବେ । ନିଜ ଯୋଜନା ସହ ରାଜ୍ୟ ସରକାର କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଆପଣେଇବାକୁ ଶ୍ରୀ ନଡ୍ଡା କହିଥିଲେ । ଏହି ମେଡିକାଲ କଲେଜରେ ୮ଟି ବିଭାଗ ରହିଥିବା ବେଳେ ଏକ ଅଡିଓ ଭିଜୁଆଲ ଅଡିଟୋରିୟମ୍ , ସେଂଟ୍ରାଲ ଲାଇବ୍ରେରୀ ,ଷ୍ଟାଫ୍ କ୍ୱାର୍ଟର ,ଛାତ୍ର ଓ ଛାତ୍ରୀ ହଷ୍ଟେଲ ଇତ୍ୟାଦି ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା , ବିରୋଧୀ ଦଳ ନେତା ନରସିଂହ ମିଶ୍ର , ସାଂସଦ କଳିକେଶ ନାରାୟଣ ସିଂହଦେଓ ପ୍ରମୁଖ ଉପସ୍ଥ୍ିତ ଥିଲେ ।