କଟରଙ୍ଗା ଗାଁ ନିକଟରେ ‘ବାଘୁଣୀ ସୁନ୍ଦରୀ’ଲୋକେ ଆତଙ୍କିତ
ଅନୁଗୋଳ,୨୨/୮ ସକାଳଖବର) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଛଡା ଯାଇଥିବା ବାଘୁଣୀ ‘ସୁନ୍ଦରୀ’ ମଙ୍ଗଳବାର କଟରଙ୍ଗ ଗ୍ରାମ ଆଡକୁ ଚାଲିଯାଇଥିବା ଜଣାପଡିଛି। ଏ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଗ୍ରାମର ଯୋଗୀନାଥ ପଧାନ, ପ୍ରାଣବନ୍ଧୁ ପ୍ରଧାନ, ବିରାଜ ଯାନୀ, ବିକାଶ ବେହେରା, କେଦାର ବେହେରା, ମନୋଜ ଯାନୀ ପ୍ରମୁଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ସୁନ୍ଦରୀକୁ ଦେଖିବାକୁ ପାଇଥିଲେ ବୋଲି ପ୍ରକାଶ କରିଛନ୍ତି। ଫଳରେ ଭୟବୀତ ହୋଇ ଲୋକେ ରାତିସାରା ଠେଙ୍ଗାବାଡି ଧରି ଜଗି ରହିଥିଲେ। ଖବରପାଇ ଏସିଏଫ ଶୁଭେନ୍ଦୁ ବେହେରା ଓ ଟିମ୍ ସେଠାରେ ରହି ବାଘ ଉପରେ ନଜର ରଖିଛନ୍ତି। ଏଥିସହ ଜଙ୍ଗଲ ଭିତରକୁ ନ ଯିବା ପାଇଁ ଗ୍ରାମବାସୀଙ୍କୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏ ବିଷୟରେ ସାତକୋଶିଆ ଡିଏଫଓ ଏସଏମ୍ଡିଟି ରହମାନ କୁହନ୍ତି, ବାଘୁଣୀ କଟରଙ୍ଗରେ ଦୁଇ ଦିନ ହେଲା ଅଛି। ଏସିଏଫ ସହିତ ଟିମ ସେଠାରେ ନଜର ରଖିଛନ୍ତି। ଗ୍ରାମବାସୀଙ୍କୁ ସତର୍କ କରାଯାଇଛି କୋର ଜଙ୍ଗଲ ଭିତରକୁ ନ ପଶିବା ପାଇଁ। ପ୍ରକାଶଥାଉ କି, ମଧ୍ୟପ୍ରଦେଶର ବାନ୍ଧବଗଡରୁ ସାତକୋଶିଆ ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ’କୁ ଗତ ୧୭ ତାରିଖରେ ରାଇଗୁଡା ଏନ୍କ୍ଲୋଜରରୁ ଜଙ୍ଗଲକୁ ଛଡାଯାଇଥିଲା।