ଜେଲରେ ପୁଲିସର ଧମକ ମାମଲା
କଟକ, ୨୬ ।୪: ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଅଭିଯୁକ୍ତ ଜାମିନ ପାଇଥିବାବେଳେ ପୁଲିସ ନାଲିଆଖି ଭୟରେ ଜେଲରୁ ମୁକୁଳି ନପାରିବା ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ମାମଲାରେ ଡିଜି କିମ୍ବା ଡିଜି ର୍ୟାଙ୍କର ଜଣେ ଅଧିକାରୀ ଘଟଣାର ଦତନ୍ତ କରି ଗୃହ ବିଭାଗ ସଚିବଙ୍କ ଠାରେ ମାସକ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗଞ୍ଜାମ ଜିଲା ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳର ବାସିନ୍ଦା ଶିବ ବିଶୋୟୀ ବିଭିନ୍ନ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ତେବେ ବିଭିନ୍ନ ମାମଲାରେ ଜାମିନ ପାଇଥିବାବେଳେ ଜେଲରୁ ବାହାରିପାରୁନାହାନ୍ତି । ଏହାର କାରଣ ହେଲେ ପୁଲିସ ଜେଲ ମଧ୍ୟକୁ ଯାଇ ପଦାକୁ ବାହାରିଲେ ଏନକାଉଣ୍ଟର କରାଯିବ ବୋଲି ଧମକ ଦେଉଥିବା ଆବେଦନକାରୀ ଦର୍ଶାଇଛନ୍ତି । ତେବେ ବ୍ରହ୍ମପୁର ଏସପି,ଏସଡିପିଓ ଓ ୩ ଥାନାର ଆଇଆଇସି ଜେଲକୁ ଯାଇ ଧମକ ଦେଉଥିବା ଆବେଦନକାରୀ ଦର୍ଶାଇ ଏମାନଙ୍କୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି । ଏହି ଅଭିଯୋଗ ଉପରେ ଆବେଦନାକରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବାବେଳେ କୌଣସି ପଦକ୍ଷେପ ନିଆନଯିବାରୁ ସେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଆବେଦନକାରୀଙ୍କୁ ସୁରକ୍ଷା ଦିଆଯିବା ସହ ସିବିଆଇ କିମ୍ବା ଡିଜିଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଥିଲା । ତେବେ କୋର୍ଟ ଆଦେଶ ଅନୁସାରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନସ କୁମାର ଚାନ୍ଦ ଡିଜିଙ୍କୁ ଭେଟି ଆଦେଶନାମାର ଏକ କପି ପ୍ରଦାନ କରିଛନ୍ତି ।