ସ୍କୁଲ ଭିତରେ ମଦ୍ୟପ ଶିକ୍ଷକଙ୍କ ଭିଡ଼ିଓ ଫେସ୍ବୁକ୍ରେ ଭାଇରାଲ
ଅନୁଗୋଳ,୧୨/୮ (ସକାଳଖବର): ଆଠମଲ୍ଲିକ ଶିକ୍ଷା ଜିଲା ସାପଘରା ପଞ୍ଚାୟତ ରାମଗଡ଼ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ପ୍ରଦୀପ ନାୟକ ମଦ୍ୟପାନ କରି ସ୍କୁଲରେ ପିଲାମାନଙ୍କୁ ମୋ ଗୋଡ଼ ଘସ, ନଚେତ ମାରଧାର କରିବା ଦୃଶ୍ୟ(ପିଲାମାନଙ୍କ ମୁହଁରୁ) ଶୁକ୍ରବାରଠାରୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ସ୍କୁଲ ପରିଚାଳନା କମିଟି ସଭାପତି କୁଶ ବେହେରା, ଅଭିଭାବକ ସତ୍ୟାନନ୍ଦ ନାୟକ, ବାବୁଲି ନାୟକ, କଇରା ନାୟକ ପ୍ରମୁଖ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୩ ଗୋଟି ଶ୍ରେଣୀଥିବାବେଳେ ୨ ଜଣ ଶିକ୍ଷକଙ୍କୁ ୧୨ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏହି ଶିକ୍ଷକ ଜଣକ ନିୟମିତ ମଦ୍ୟପାନ କରି ଛାତ୍ରଛାତ୍ରୀ ଅଭିଭାବକ ତଥା ଗ୍ରାମବାସୀଙ୍କୁ ଅଶ୍ଳିଳ ବ୍ୟବହାର ଦେଖାଉଥିବା ଅଭିଯୋଗ ହୋଇଛି । ଏନେଇ ଶିକ୍ଷା ଜିଲା ଅଧିକାରୀ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ସୁଇଚ୍ଅଫ୍ କାରଣରୁ ସମ୍ଭବ ହୋଇପାରିନାହିଁ । ଅନୁଗୋଳ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।