ସରକାରଙ୍କ ଉନ୍ନତି ଯୋଜନା ମାମଲା
କଟକ,୮ା୮(ସକାଳଖବର): ସହରାଞ୍ଚଳ ବିକାଶ ନିମନ୍ତେ ଥିବା ସରକାରଙ୍କ ଉନ୍ନତି ଯୋଜନା ମାମଲାରେ ଆସନ୍ତା ୧୪ତାରିଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ହାଇକୋର୍ଟ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ତେବେ ଆଜି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ରିପୋର୍ଟ ଦାଖଲ ହୋଇଥିବାବେଳେ ସେଥିରେ ଦର୍ଶାଯାଇଛି ଯେ ସହରାଞ୍ଚଳ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୧୦୭ ବିଜ୍ଞାପିତ ପରିଷଦ, ମୁ୍ୟନିସିପାଲଟିକୁ ଅର୍ଥ ପ୍ରଦାନ କରୁଛନ୍ତି । ସେହି ଅର୍ଥରେ ସହରର ନଳାନର୍ଦ୍ଧମାର ମରାମତି ସହ ଉନ୍ନତିକରଣ, ରାସ୍ତାଘାଟର ବିକାଶ ଆଦି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅର୍ଥ ବିନିଯୋଗ ହେବା କଥା । ମାତ୍ର ତାହା ହେଉନାହି । ସରକାର ଯୋଗାଇ ଦେଉଥିବା ପାଣ୍ଠି ବିଭିନ୍ନ ବ୍ୟାଙ୍କରେ ଜମା ରହି ସୁଧ ବଢିଚାଲିଛି । ସରକାରଙ୍କ ପକ୍ଷରୁ ଏହି ଅର୍ଥ ଅନ୍ୟ ବିଭାଗକୁ ଦିଆଯାଇ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ କର୍ମଚାରୀଙ୍କ ଅଭାବ ନେଇ ଉନ୍ନତି ଯୋଜନା ଅର୍ଥ ସଠିକ ଭାବେ ବିନିଯୋଗ ହୋଇପାରୁନଥିବା ଦର୍ଶାଇ ରାଜ୍ୟର କିଛି ଏନଏସି, ମୁନିସୀପାଲଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । କୋର୍ଟ ଏହି ମାମଲାରେ ଶୁଣାଣି କରି ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ତେବେ ଆନନ୍ଦପୁର କାଉନସିଲରଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି ।