ନାଲକୋ ବିଶ୍ୱକର୍ମା ପୂଜା ପ୍ରସ୍ତୁତି
ଅନୁଗୋଳ, ୫/୮ (ସକାଳଖବର) ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ନାଲକୋନଗରରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସପ୍ତାହେ ବ୍ୟାପି ପୂଜା ଚାଲିବ । କିନ୍ତୁ ପାର୍ବଣ ଋତୁ ଚାଲିବାର ସପ୍ତାହେ ପୂର୍ବରୁ ମେଳା କରିବାକୁ ସରକାରୀ ସଜବାଜ ଆରମ୍ଭ ହୋଇଛି । ପ୍ରତିବର୍ଷ ଯେମିତି ପଲ୍ଲିଶ୍ରୀ ମେଳା ଆୟୋଜନ ହେଉଥିଲା, ତାର ରୂପରେଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ମେଳାର ନାଁ ବି ବଦଳିଛି । ପଲ୍ଲିଶ୍ରୀ ମେଳା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଆଞ୍ଚଳିକ ସାରସ ମେଳା କରିବାକୁ ନିଷ୍ପତ୍ତି ହୋଇଛି । ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ପଲ୍ଳିଶ୍ରୀ ମେଳା ଆରମ୍ଭ ହେଉଥିବା ବେଳେ ଏବର୍ଷ ସପ୍ତାହକ ପୂର୍ବରୁ ସାରସ ମେଳା ଆୟୋଜନ କରାଯିବ । ଏନେଇ ଆଜି ଡ଼ିଆରଡ଼ିଏ ସମ୍ମୀଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଅତୁଲ୍ୟ ଚମ୍ପତ୍ତିରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା । ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥି ଏଥିରେ ଯୋଗ ଦେଇ ଏହି ମର୍ଯ୍ୟଦାଜନକ ମେଳାକୁ ସଫଳତାର ସହିତ ଆୟୋଜନ କରିବା ପାଇଁ କହିଥିଲେ । ମେଳା ବିଶ୍ୱକର୍ମା ପୂଜା ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ତାର ସପ୍ତାହକ ପୂର୍ବରୁ ଅର୍ଥାତ ୧୨ ତାରିଖରୁ ଏହି ସାରସ ମେଳା ଶୁଭାରମ୍ଭ ହେବ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାୟୋଜିତରେ ଓ ରାଜ୍ୟ ପଞ୍ଚାୟତରାଜ ବିଭାଗର ଓରମାସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହେବାକୁ ଥିବା ଏହି ମେଳା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ନାଲକୋ ମଧୂସୂଦନ ପାର୍କ ପାଶ୍ୱର୍ରେ ମେଳା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାର କଳେବର ପୂର୍ବ ଅପେକ୍ଷାକୃତ ଅଧିକ କରାଯାଇଛି । ଚଳିତ ବର୍ଷ ସର୍ବାଧିକ ୩୦୦ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ରାଜ୍ୟ , ୩୦ଟି ଜିଲ୍ଲାର ଡ଼ିଆରଡ଼ିଏ ଓ ବିଭିନ୍ନ ବିଭାଗ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନ ତଥା ବିକ୍ରିବଟା ଏଠାରେ କରାଯିବ । ଚଳିତବର୍ଷ ଓରମାସକୁ ୯୦ଟି ରାଜ୍ୟ ବାହାରର ବିଭିନ୍ନ ଜିଲ୍ଲାର ଡ଼ିଆରଡ଼ିଏ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୦ଟି ଷ୍ଟଲ ବିନା ମୂଲ୍ୟରେ ଯୋଗାଇ ଦିଆଯିବାକୁ ସ୍ଥିର ହୋଇଛି ।